ଶିକ୍ଷକମାନେ ହେଉଛନ୍ତି ମଣିଷଗଢ଼ା କାରଖାନାର କୁଶଳୀ ଇଂଜିନିୟର- ମନ୍ତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ପବିତ୍ର ଗୁରୁ ଦିବସ ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପସ୍ଥିତ ସମସ୍ତ ଶିକ୍ଷକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆଜିର ଦିବସଟି ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ବିଶିଷ୍ଟ ଶିକ୍ଷାବିତ୍, ଅଧ୍ୟାପକ, ମହାନ ଲେଖକ ତଥା ଦାର୍ଶନିକ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥି ଅବସରରେ ଦୀର୍ଘ ୬୦ ଦଶକରୁ ଆଜି ଦିନଟିକୁ ପ୍ରତିବର୍ଷ ଗୁରୁ ଦିବସ ଭାବରେ ପାଳନ କରାଯାଉଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଉନ୍ନତମାନର ଶିକ୍ଷା ଲାଭ କରି ନିଜକୁ ବିଶ୍ଵସ୍ତରରେ ପ୍ରତିଷ୍ଠିତ କରିବାର ପ୍ରୟାସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାଗ୍ରତ ହୋଇଛି । ଏଥି ପାଇଁ ମୁଁ ପୂଜ୍ୟ ଗୁରୁଜୀମାନଙ୍କ ନିଷ୍ଠା ଓ ଆନ୍ତରିକତାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାଧୁବାଦ ଜଣାଇଥିଲେ । ଶିକ୍ଷକମାନେ ହେଉଛନ୍ତି ମଣିଷଗଢ଼ା କାରଖାନାର କୁଶଳୀ ଇଂଜିନିୟର । ସେମାନେ ଭଲ ମଣିଷ ତିଆରି କରି ଆମ ସମାଜ, ରାଜ୍ୟ, ଦେଶ ତଥା ଜାତିର ସମୃଦ୍ଧି ପାଇଁ କାର୍ଯ୍ୟ କରିଥାନ୍ତି । ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଶିକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ସେହି ଗୁରୁଜୀ ଜଣକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସାଢ଼େ ୪ ଶହ ଟଙ୍କା ଦରମା ପାଉଥିବା ଗୁରୁଜୀ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ପରିବାରର ମୁରବୀ । ଏଥିରୁ ଗୁରୁମାନଙ୍କ ମହାନତା ପ୍ରମାଣିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.