jayashree

କରଡ଼ା ଘାଟିରେ ଡକାୟତି ମାମଲା : ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ଡକାୟତି ମାମଲାର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ଭାରତ ଫାଇନାନ୍ସର ଋଣ ଆଦାୟକାରୀ କର୍ମଚାରୀମାନେ ରାଇକିଆ ଥାନା ଅଞ୍ଚଳରୁ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ଫେରୁଥିବା ବେଳେ ରାଇକିଆ ନିକଟସ୍ଥ କରଡ଼ା ଘାଟିରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଛପି ରହିଥିବା ସେହି ଅଞ୍ଚଳର ୫ ଜଣ ବ୍ୟକ୍ତି ସୋନି ନାୟକ, ବିଜୟ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଅଧିର ଦଳବେହେରା ଓ ସଞ୍ଜୟ ନାୟକ ଅତର୍କିତ ଭାବେ ଚଢ଼ାଉ କରି ମାରଣାସ୍ତ୍ର ଦେଖାଇ ଆଦାୟ କରିଥିବା ପ୍ରାୟ ୬ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଥିବା ନେଇ ରାଇକିଆ ଥାନାରେ ଫାଇନାନ୍ସ କର୍ମଚାରୀ ମାନେ ଏତଲା ଦାଏର କରିଥିଲେ । ଏତଲାକୁ ଭିର୍ତ୍ତିକରି କେସ୍‌ ନଂ. ୦୬/୧୯ ପ୍ରକାରେ ମକଦ୍ଦମା ରୁଜୁକରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାର ମଙ୍ଗଳବାର ଶୁଣାଣୀ କରି ଉକ୍ତ ୫ ଜଣ ଡକାୟତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏହି ମାମଲାକୁ ବାଲିଗୁଡାର ସରକାରୀ ଓକିଲ ସୁଧାଂଶୁ ମୋହନ ପତି ପରିଚାଳନା କରୁଥିଲେ ।

Leave A Reply

Your email address will not be published.