ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ : ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଗତକାଲି ରାତ୍ରିରେ ଘରର କାନ୍ଥ ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର ଏକାଦୁଶିଆ ଶବରଙ୍କ ସ୍ତ୍ରୀ ସୁଶୀଳା ଶବର(୩୦) ଅନ୍ୟଦିନ ମାନଙ୍କ ଭଳି ଗତକାଲି ମଧ୍ୟ ଖିଆପିଆ ସାରି ନିଜର ଜରାଜୀର୍ଣ୍ଣ କୁଡିଆ ଘରେ ଶୋଇଥିଲେ । ତେବେ ରାତ୍ରି ପ୍ରାୟ ୧୨ଟା ସମୟରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଘରର କାନ୍ଥଟି ହଠାତ ଭୁଶୁଡି ପଡି ସୁଶୀଳାଙ୍କ ଉପରେ ପଡିଥିଲା । ଫଳରେ ସୁଶୀଳା ଗୁରୁତର ଆହତ ହୋଇଥିଲେ । ପରିବାର ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଭଙ୍ଗା କାନ୍ଥ ତଳୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ସେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଲଗାଣ ବର୍ଷାରେ ସୁଶୀଳାଙ୍କ ଘରର କାନ୍ଥର ଅର୍ଦ୍ଧାଧିକ ଅଂଶ ଭୁଶୁଡି ପଡିଥିଲା । ମାତ୍ର ଅର୍ଥାଭାବ ଯୋଗୁଁ ସୁଶୀଳା ଏହାର ମରାମତି କରିପାରିନଥିଲେ ।

Leave A Reply

Your email address will not be published.