ସୋନପୁର ଥାନା ପକ୍ଷରୁ ହୋଲି ଉତ୍ସବ ପାଇଁ ଶାନ୍ତି ଓ ସମନ୍ଵୟ କମିଟି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ହୋଲି ଉତ୍ସବ ପାଳନ ପୂର୍ବରୁ ସୁବର୍ଣ୍ଣପୁର ସହରର ବିଭିନ୍ନ ଅଞ୍ଚଳର ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ନେଇ ସୋନପୁର ସଦର ପୋଲିସ ଷ୍ଟେସନ୍ ଠାରେ ଏକ ଶାନ୍ତି ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏସପି ନାରାୟଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ଯାଦବ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହୋଲି ଉତ୍ସବରେ ସହରରେ କିଭଳି ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହୋଇପାରିବ ସେ ବିଷୟରେ ଉପସ୍ଥିତ ହିନ୍ଦୁ, ମୁସଲିମ ଖ୍ରୀଷ୍ଟିଆନ ସଂପ୍ରଦାୟଙ୍କ ସହ ବୁଦ୍ଧିଜୀବୀ, ଆଇନଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ, ଜନ ପ୍ରତିନିଧି ପ୍ରମୁଖ ସୁଚିନ୍ତିତ ମତ ପ୍ରକାଶ କରିଥିଲେ । ପ୍ରଥମେ ଥାନା ଅଧିକାରୀ ଶ୍ରୀ ବାଗ ସମସ୍ତଙ୍କ ସହିତ ପରିଚୟ ପ୍ରଦାନ କରିବା ସହ ସହରରେ କିଭଳି ଅସାମାଜିକ କାର୍ଯ୍ୟକଳାପ, ନିଶା ସେବନ କାରୀଙ୍କ ଦୌରତ୍ମ୍ୟ ରୋକା ଯାଇପାରିବ ଏହି ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ନୂଆ ଥାନା ଅଧିକାରୀଙ୍କୁ ସ୍ଵାଗତ କରିବା ସହ ସହରରେ ଶାନ୍ତି ଏକତା ପ୍ରତିଷ୍ଠା ଉଦ୍ୟମ ଓ କୋଡ଼ିନେସନ ବୈଠକକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.