ଦୁଇ ଛାତ୍ରାବାସ ଅନ୍ତେବାସୀଙ୍କୁ ଭେଟିଲେ ରାଜେନ୍ଦ୍ର ଆଲୁମିନି କମିଟି

  • ଛାତ୍ରଙ୍କ ସହିତ ରହିଛନ୍ତି ବଲାଙ୍ଗିରବାସୀ, ସମସ୍ୟାର ମୁକାବିଲା ପାଇଁ ମିଳିତ ପ୍ରୟାସ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଋଷ୍ୟଶୃଙ୍ଗ ଓ ଗନ୍ଧମାର୍ଦ୍ଦନ ଛାତ୍ରାବାସର ଦୁଇଜଣ ଛାତ୍ରଙ୍କୁ ଜଣେ ନିଶାଖୋର ଯୁବକ ବ୍ଲେଡରେ ଆକ୍ରମଣ କରିଥିଲା । ସେହି ଘଟଣାରେ ବଲାଙ୍ଗିରବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଗୁରୁତର ସହିତ ରାଜେନ୍ଦ୍ର କଲେଜର ପୁରାତନ ଛାତ୍ର ସଂସଦ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଗତକାଲି ଏକ ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଠିକ ସେହିପରି ସଂଧ୍ୟାରେ ଋଷ୍ୟଶୃଙ୍ଗ ଓ ଗନ୍ଧମାର୍ଦ୍ଦନ ବାଳକ ଛାତ୍ରାବାସକୁ ଯାଇ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା କାଳରେ ଅନ୍ତେବାସୀଙ୍କ ସହିତ ବଲାଙ୍ଗୀରବାସୀ ଅଛନ୍ତି । ସହରର ବହୁ ସଂଗଠନ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ତେଣୁ ଛାତ୍ରମାନେ ଭୟ କରିବାର ନାହିଁ । ଛାତ୍ରମାନେ ଭୟ ତଥା ମାନସିକ ଚାପରେ ନରହି ନିଜର ସମସ୍ୟା ଗୁଡିକୁ ନିଜ ସାଙ୍ଗଙ୍କ ମଧ୍ୟରେ ବାଣ୍ଟିବାକୁ ମଧ୍ୟ ପରାମର୍ଶ ଦେଇ ସମସ୍ୟାଗୁଡିକୁ ମିଳିତ ପ୍ରୟାସ କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ପ୍ରଭାସ ପାଣିଗ୍ରାହୀ, ସଂପାଦକ ଭବାନୀଶଙ୍କର ଶତପଥି, ରାଜେନ୍ଦ୍ର କଲେଜର ପୂର୍ବତନ ସଭାପତି ରତନ ମହାରଣା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଛାତ୍ରନେତା ସୁମନ ନନ୍ଦ ପହଞ୍ଚି ଛାତ୍ରାବାସର ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ମଙ୍ଗଳବାର ଦିନ ଏହି ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ଭେଟି ବିଶ୍ୱବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ଜଣାଇବେ ବୋଲି କହିଛନ୍ତି । ଏହା ପୂର୍ବରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏନେଇ ପୋଲିସ ବିଭାଗ ଉପରେ ବର୍ଷିଥିବା ବେଳେ ରାଜେନ୍ଦ୍ର କଲେଜର ଏହି ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିସାରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.