କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ବୈଠକ

  • ଜିଲ୍ଲାର ଏକ ନମ୍ବର ଡାକ୍ତରଖାନା କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ
  • ଡାକ୍ତରଖାନାରେ ଡାକ୍ତରମାନଙ୍କ ଉନ୍ନତ ସେବା ଯୋଗାଇବା ନେଇ ବିଧାୟକ ଶ୍ରୀ ବାଗଙ୍କ ପ୍ରତିଶୃତି
  • କଣ୍ଟାବାଞ୍ଜି ଡାକ୍ତରଖାନାକୁ ଉପଖଣ୍ଡିୟ ଡାକ୍ତରଖାନାରେ ପରିଣତ ପାଇଁ ବିଧାୟକ ସରକାରଙ୍କ ଠାରେ କରିବେ ଦାବୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ରୋଗୀ କଲ୍ୟାଣ ସମିତିର ବୈଠକ ସୋମବାର ଦିନ ଡାକ୍ତରଖାନାର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଡ ଡାକ୍ତର ରାଜେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭ ପୂର୍ବରୁ ବିଧାୟକ ଶ୍ରୀ ବାଗଙ୍କୁ ସୁପରିନ୍‌ଟେଣ୍ଡେଣ୍ଡ ଡାକ୍ତର ପଣ୍ଡିତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଦୀର୍ଘ ୫ ବର୍ଷପରେ ନୂତନ ଭାବେ ରୋଗୀ କଲ୍ୟାଣ ସମିତିର ପୁନଃ ଗଠନ ନେଇ ଏହି ସଭା ହୋଇଛି । ସଭା ପ୍ରାରମ୍ଭରେ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାର ଉନ୍ନତି ନିମନ୍ତେ ନିଜେ ବ୍ୟକ୍ତିଗତ ଭାବେ ସରକାରଙ୍କଠାରେ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏପରିକି ଖାଲି ପଡିଥିବା ଡାକ୍ତର, ନର୍ସ ଏବଂ ସଫେଇ କର୍ମଚାରୀ ଯଥା ଶୀଘ୍ର ପୁରଣ କରିବା ପାଇଁ ନିଜର ଦାବୀ ରଖିବେ ବୋଲି କହିଥିଲେ । ଏପରିକି କଣ୍ଟାବାଞ୍ଜି ଡାକ୍ତରଖାନାକୁ ସବ୍‌ ଡିଭିଜିନାଲ୍‌ ହସ୍‌ପିଟାଲ୍‌ରେ ପରିଣତ କରିବା ପାଇଁ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରିବେ ବୋଲି କହିଥିଲେ । ଡାକ୍ତରଖାନାର ଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଜନ ସହଭାଗିତାରେ ହିଁ ସମ୍ଭବ ବୋଲି କହିବା ସହିତ ଡାକ୍ତରମାନଙ୍କୁ ସଂପୂର୍ଣ୍ଣ ସହଯୋଗର ଆବଶ୍ୟକତା ରହିଛି । କଣ୍ଟାବାଞ୍ଜିକୁ ଜିଲ୍ଲାର ଏକ ନମ୍ବର ଡାକ୍ତରଖାନା କରିବାକୁ ହେଲେ ଉଭୟେ ଡାକ୍ତର ଏବଂ ଜନସାଧାରଣ ନିରନ୍ତରଭାବେ ପରସ୍ପରକୁ ସହଯୋଗ କଲେ ହିଁ ସମ୍ଭବ ବୋଲି କହିଥିଲେ । ସେହିପରି ସୁପରିନ୍‌ଟେଣ୍ଡେଣ୍ଡ ଡାକ୍ତର ପଣ୍ଡିତ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଜନସାଧାରଣ କାର୍ଯ୍ୟରତ ଡାକ୍ତରମାନଙ୍କୁ ସହଯୋଗ କରନ୍ତୁ । କେବଳ ସମସ୍ୟା ଉପରେ ଗଣମାଧ୍ୟମ ପ୍ରତିନିଧି ଲୋକ ଲୋଚନକୁ ଆଣିବା ପୂର୍ବରୁ ଏହାର ଟିକିନିଖି ବୁଝି ବିଚାରି ପ୍ରକାଶ କରିବା ଉଚିତ୍‌ ଯାହା ଅନ୍ୟଡାକ୍ତରମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଡାକ୍ତରଖାନା ଥିବା ଟ୍ରାଫିକ୍‌ ସମସ୍ୟା ନିୟନ୍ତ୍ରଣ ପାଇଁ ଏକ ବାଇକ୍‌ ଷ୍ଟାଣ୍ଡ ନିର୍ମାଣ ଜରୁରୀ ବୋଲି ବିଧାୟକଙ୍କୁ ଅବଗତ କରାଯାଇଥିଲା । ଏହି ରୋଗୀ କଲ୍ୟାଣ ସମିତି ଗଠନର ଗାଇଡ୍‌ ଲାଇନ୍‌ ଅନୁସାରେ ବିଧାୟକ, ଏନ୍‌. ଏ. ସି. ନଗରପାଳ, ତହସିଲଦାର କଣ୍ଟାବାଞ୍ଜି, ବ୍ଲକ ଶିକ୍ଷା ଅଧିକାରୀ, ସିଡିପିଓ ତୁରେକେଲା, ଜେଇ. ଜନସ୍ୱାସ୍ଥ୍ୟ ବିଭାଗ(ସହରାଂଚଳ) ଜେ. ଇ. ଜନସ୍ୱାସ୍ଥ୍ୟ ବିଭାଗ(ଗ୍ରାମାଂଚଳ) ସଭ୍ୟ ରହିଥିବା ବେଳେ ବିଧାୟକଙ୍କ ଦ୍ୱାରା ସହରର ଚାରି ଜଣ ସମାଜସେବୀ ପ୍ରଦିପ ବାଗ, ଧର୍ମାନନ୍ଦ ଯୁଏଡ, ରବିନ୍ଦ୍ର କୁମାର ଅଗ୍ରୱାଲ ଓ ବେଣୁଗୋପାଲ ବେହେରାଙ୍କୁ ସଭ୍ୟଭାବେ ମନୋନିତ ହୋଇଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଞ୍ଜଳି ମାଝି, ନଗରପାଳ ବରିୟାମ ସିଂ ସାଲୁଜା, ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସହ ଡାକ୍ତରଖାନାର ସମସ୍ତ ଡାକ୍ତର, ସମାଜସେବୀ ଘାସିରାମ ଜୈନ, ବେଦବ୍ୟାସ ନାଗ, ଦିପକ ସେଲମା ଓ ସାମ୍ବାଦିକମାନେ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.