ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କାଳୀପୂଜା ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଆସୁଅଛି । ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ସମାରୋହରେ ବିଶେଷକରି ସନ୍ଧ୍ୟାବେଳେ ଅନୁପମ ଲୋକକଳା ଦଣ୍ଡନୃତ୍ୟ, ଗାହାଣ ଏବଂ ମା’ ଦଣ୍ଡକାଳୀଙ୍କ ବୀଣାକାର ସଙ୍ଗୀତ ପରିବେଷଣ ମାଧ୍ୟମରେ ପୂଜାମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଛି । ସହରର ମୁଖ୍ୟ ବାଣିଜ୍ୟପେଣ୍ଠ ହାଟ-ବଜାରର କେନ୍ଦ୍ରସ୍ଥଳ ରିକାପଲ୍ଲୀ ସ୍ଥିତ ଆଡ଼ପମଣ୍ଡପ ସମ୍ମୁଖରେ କାଳୀପୂଜା ମଣ୍ଡପରେ ଦୈନିକ ସନ୍ଧ୍ୟାରେ ଅଗଣିତ ମହିଳା ଓ ପୁରୁଷ ଭକ୍ତଜନଙ୍କ ସମାଗମ ହୋଇଥାଏ । ପାର୍ବଣ କାଳୀପୂଜା ନିଆରା ଆଧ୍ୟାତ୍ମିକ ବାତାବରଣରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇ ଆସୁଅଛି । ପଣ୍ତିତଙ୍କ ବେଦମନ୍ତ୍ର ପାଠରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଛି । ରିକାପଲ୍ଲୀ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଦ୍ଵାରା ପରିଚାଳିତ ଓ ଆୟୋଜିତ ଏହି ପାରମ୍ପରୀକ ପୂଜା ମଣ୍ଡପରେ ଆଲୋକର ପର୍ବ ଦୀପାବଳି ଅମାବାସ୍ୟା ତିଥିରୁ କାଳୀପୂଜା ଆଜକୁ ତିନି ଦିନରେ ପହଞ୍ଚିଥିବା ବେଳେ ପାର୍ବଣ ଉତ୍ସବ ଦୁଲକୀ ଉଠିଛି । ଭକ୍ତମାନଙ୍କ ଭକ୍ତିଭାବାବେଗରେ ଏହି ଅଞ୍ଚଳକୁ ଆହ୍ଲାଦିତ କରିଦେଇଛି ।