ଦର୍ଶକଙ୍କ ମନ ମୋହୁଛନ୍ତି ହାସ୍ୟ କଳାକାର ଓମ୍ ପ୍ରକାଶ ମାଝୀ

  • ଜାତୀୟ ସମ୍ମାନ ପାଇ ଆଣିଛନ୍ତି ଗୌରବ
  • ପଦ୍ମରୁ ପଙ୍କ ପରି ଗାଁରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା

ମ.ରାମପୁର, (ହେମନ୍ତ ସାହୁ) : ପ୍ରତିଭା ବଳରେ ଜିଣି ହୁଏ ସବୁରି ହୃଦୟ । ପଙ୍କରୁ ପଦ୍ମ ଜାତ ହେଲା ପରି ନିଜ ପ୍ରତିଭା ବଳରେ ଗାଁରୁ ବାହାରି ଦିଲ୍ଲୀ ଯାଏଁ ନିଜର ପ୍ରତିଭା ପ୍ରଦର୍ଶନ କରିହୁଏ । ସେମିତି ଜଣେ ଅନନ୍ୟ କଳାକାର ହେଉଛନ୍ତି ଓମ୍ ପ୍ରକାଶ ମାଝୀ । ଲାଞ୍ଜିଗଡ଼ ବ୍ଲକ୍ କମର୍ଡା ଗ୍ରାମରେ ନିଜ ଘର । ଏଇ ନଭେମ୍ବର ୨୭ ତାରିଖରେ ସେ ବ୍ଲ୍ୟୁ ଡାଏମଣ୍ଡ ଏଫ୍ ଏମ୍ ମ୍ୟୁଜିକ୍ ଆୱାର୍ଡ଼ ୨୦୨୨ ଭାରତର ରାଜଧାନୀ ଦିଲ୍ଲୀ ରେଡ଼ିଓ ଷ୍ଟେସନ୍‌ରେ ପାଇଛନ୍ତି । ଓମ୍ ପ୍ରକାଶ ଶେଷ ମାଝୀ ଓ ମାଆ ସ୍ୱର୍ଗତ ସେବତୀ ମାଝୀଙ୍କ କନିଷ୍ଟ ପୁତ୍ର । ସେ ନବମ ଶ୍ରେଣୀରେ ପାଠ ପଢିବା ବେଳେ ମା’ଙ୍କ ପରଲୋକ ପରେ ବାପାଙ୍କୁ ଚାଷ କାମ ଓ ଘର କାମରେ ସହଯୋଗ କରିବା କାରଣରୁ ପାଠପଢାରେ ଡୋରି ବନ୍ଧା ହେଲା । କିନ୍ତୁ ନିଜର ଇଚ୍ଛା ଶକ୍ତି ବଳରେ ସେ ତାଙ୍କ ପ୍ରତିଭାକୁ ବିକାଶ ଦିଗରେ ଯତ୍ନ କରୁଥିଲେ । ପିଲାଟି ଦିନରୁ ରାତିରେ ଘର ଠାରୁ ଅଳ୍ପ ଦୂରକୁ ଯାଇ ପଶୁ ପକ୍ଷୀ, ଯାନ ବାହାନ, ଅଭିନେତା ଅଭିନେତ୍ରୀ, ବୁଢ଼ା ବୁଢ଼ୀଙ୍କ ସ୍ୱର, ପାଟିରେ ଘୁମୁରା ବାଦ୍ୟ, ବିଭିନ୍ନ ଯନ୍ତ୍ର ସଙ୍ଗୀତକୁ ନିଜ ପାଟିରେ ଅତି ଚମତ୍କାର ଭାବରେ ଫୁଟେଇ ପାରନ୍ତି । ୨୦୧୭ ମସିହାରେ ପ୍ରଥମେ ମୁଣ୍ଡା ଗାଁ (କମର୍ଡା ପଞ୍ଚାୟତ) ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ଏହି ମଞ୍ଚରେ ନିଜର ସମସ୍ତ ପ୍ରତିଭା ବଳରେ ସେ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ । ତା’ପରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ବୁଢ଼ୀ ପଦର୍, ଯୁଗ ଯାତ୍ରୀ ସାହିତ୍ୟ ସଂସଦ, ସମ୍ବଲପୁରରେ ହୀରାଖଣ୍ଡ ରେଡ଼ିଓ ଷ୍ଟେସନ, କଳାହାଣ୍ଡି ଆକାଶ ବାଣୀ, ବଲାଙ୍ଗିର ଆକାଶ ବାଣୀରେ ନିଜର କାର୍ଯ୍ୟକ୍ରମ କରିଥିଲେ । ଏହା ବାଦ୍ ସୁବର୍ଣ୍ଣପୁର, ବଲାଙ୍ଗିର, ରାୟଗଡ଼ାରେ ଓ ଛତିଶଗଡ଼ର ରାୟପୁର ଭଳି ବିଭିନ୍ନ ମଞ୍ଚରେ ସେ ସ୍ୱର ପ୍ରଦର୍ଶନ କରି ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଏହା ବାଦ୍ ସେ ମଞ୍ଚ ପରିଚାଳନା ମଧ୍ୟ କରନ୍ତି । ଏହି ପ୍ରତିଭା ପାଇଁ ସେ ନିଜ ବଡ଼ ଭାଇ ହାସ୍ୟ ଅଭିନେତା ତଥା ଗୁରୁ ଲୋଚନ ମାଝୀଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି । ଆଗାମୀ ଦିନରେ ସେ ନିଜର ପ୍ରତିଭାକୁ ଆହୁରି ବ୍ୟାପ୍ତ କରିବା ସହିତ ଆନ୍ତର୍ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ବହୁତ୍ କଷ୍ଟରେ ନିଜର କଳାର ବିକାଶ ଦିଗରେ ଆଗେଇ ଚାଲିଛନ୍ତି । ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଗ୍ରାମରୁ ସେ ଆସି ନିଜର ଉଦ୍ୟମ ଓ ଇଚ୍ଛା ଶକ୍ତି ବଳରେ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହେବା ନିଶ୍ଚିତ ଭାବରେ ଅନ୍ୟ କଳାକାର ମାନଙ୍କ ପାଇଁ ଉଦାହରଣ ।

Leave A Reply

Your email address will not be published.