ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଆଜି ଏପ୍ରିଲ ୧ ତାରିଖରେ ବଲାଙ୍ଗିରଠାରେ କଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନର ପ୍ରତିନିଧି ସମବେତ ହୋଇ ପ୍ରଦର୍ଶନ କରିଥିଲେ । ସାମୁହିକ ଭାବେ ସମସ୍ତେ କଳା ବ୍ୟାଚ ପରିଧାନ ସହ ଏଠାରେ କଳା ପତାକା ଉତ୍ତୋଳନ କରାଯାଇଥିଲା । ‘ଜୟ କୋସଲ’, ‘ଏପ୍ରିଲ -୧ କଳା ଦିନ’ ଇତ୍ୟାଦି ସ୍ଲୋଗାନରେ ସମଗ୍ର ଅଂଚଳଟି ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଅବସରରେ ଶ୍ରମିକ ନେତା ରବି ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା କୋସଲବାଦୀ ନେତା ବିଭୁଦତ୍ତ ମିଶ୍ରଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଉପସ୍ଥିତ ଜନ ସମୁହଙ୍କୁ ଉଦ୍ବୋଧନ ଦେଇ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସାରା କୋଶଳାଂଚଳର କୋସଲବାଦୀମାନେ ଗୋଟିଏ ବେନର୍ ତଳେ ସମବେତ ହୋଇ ଦୁର୍ବାର ମୁକ୍ତି ଆନ୍ଦୋଳନ ଚଳାଇବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲବାଦୀ ସମାଜସେବୀ ବିକ୍ରମାନନ୍ଦ ବହିଦାର, ନାଗରିକ କମିଟି ସଂପାଦକ ମନୋରଂଜନ ସାହୁ, ଶିକ୍ଷାବିତ୍ ଗୋପଭୂଷଣ ନାଥ, କୋସଲବାଦୀ ସଂଗଠକ ଶରତ ହୋତା, ଡୋଳାମଣି ପ୍ରଧାନ, କିଶୋର ହୋତା, କୋସଲ ଯୁବ ସମନ୍ୱୟ ସମିତି ନେତା ରିଲୁ ରଥ, ବିନୋଦ କାଲସାଏ, କର୍ମଚାରୀ ନେତା ବିଭୁତି ବିନ୍ଧାଣୀ, ଜ୍ୟୋତି ରଂଜନ ମହାନ୍ତି, ନାରୀନେତ୍ରୀ ନିରୁପମା ଉଦ୍ଗାତା, ଅବସରପ୍ରାପ୍ତ ସୈନିକ ସଂଘ ନେତା ପ୍ରତାପ ରଥ, କମଚାରୀ ନେତା ମନୋରଂଜନ ମିଶ୍ର, ଆଦିବାସୀ ନେତା ଧରମ ସିଂ ଧରୁଆଙ୍କ ସମେତ ଶତାଧିକ ବିକ୍ଷୋଭକାରୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବିକ୍ଷୋଭକାରୀମାନେ ଓଡିଶା ପ୍ରଶାସନର କୁଶ ପୁତ୍ତଳିକା ଦାହ କରିବା ସହ ଓଡିଶା ମାନଚିତ୍ରକୁ ଚିରି କୋସଲାଂଚଳକୁ ଅଲଗା କରିଥିଲେ ।