କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ଉନ୍ମୋଚନ ଓ କବିସନ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ସ୍ଥିତ ପ୍ରେକ୍ଷାଳୟରେ ପୁସ୍ତକ ଉନ୍ମୋଚନ ଏବଂ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ୱାରା ରଚିତ ଇଂରାଜୀ କାବ୍ୟ ଦ୍ରୌପଦୀ : ଦି ଓମେନ୍ ଅନପାରାଗନ୍ଡ ଉନ୍ମୋଚିତ ହୋଇଥିଲା । ଏହାକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ଭାଷାବିତ୍ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଏବଂ ଲେଖକ ପ୍ରଫେସର ମହାନ୍ତି । ହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଏହି ଇଂରାଜୀ କାବ୍ୟ ସଂପର୍କରେ ଲେଖକ ପ୍ରଫେସର ମହାନ୍ତି କହିଥିଲେ ଯେ, ମୂଳ ବ୍ୟାସ ମହାଭାରତକୁ ଆଧାର କରି ରଚିତ ଏହା ଏକ ମୌଳିକ କାବ୍ୟ । ଏଥିରେ ଦ୍ରୌପଦୀଙ୍କୁ ଏକ ଅନନ୍ୟ ସ୍ୱାଧୀନ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି । କାବ୍ୟଟିରେ ଦ୍ରୌପଦୀ ସମାଜକୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଡକ୍ଟର ମମତା ଦାଶ । ଏଥିସହିତ ସେ ସ୍ୱରଚିତ କବିତା ପାଠ କରିଥିଲେ ଏବଂ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଜୀବନର ଦୁଃଖ ସମୟରେ କବିତା ତାଙ୍କୁ ଦୃଢ଼ମନା କରିଥାଏ । ତାଙ୍କୁ ପ୍ରେରଣା ଯୋଗାଇଥିବା ବରିଷ୍ଠ କବିମାନଙ୍କ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଉଭୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ । ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର । ଉଭୟ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.