ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶୁଖାଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକିର ମୋହନ ସା ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ଇଚ୍ଛାପୁର, ସର୍ଗୁଲ ଓ ଶୁଖା କ୍ଲଷ୍ଟରର ୧୫୪ ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୮୬ ଜଣ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବ । ୬ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଉକ୍ତ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଡୁଙ୍ଗୁରିପାଲି ଗୋଷ୍ଠୀ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ବିଦ୍ୟାଧର ସାହୁ ଏବଂ ବିନିକା ଗୋଷ୍ଠୀ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଅଶୋକ କୁମାର ମଲ୍ଲିକ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ଧୀରେନ୍ଦ୍ର ନାରାୟଣ ବାରିକ, ମୋହନ କୁଅଁର, ବୈଶାଖୁ ବିଶ୍ଵାଳ, ଲକ୍ଷପତି ବୁଡେକ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ରବୀନ୍ଦ୍ରନାଥ ଜୁଆଡି, ଲଳିତ କୁମାର ସାହୁ, ନିମାଇଁ ଚରଣ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର କୁମ୍ଭାରଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଶୁଖା ଗ୍ରାମର କେତେ ଜଣ ସାମାଜସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସଫଳ ହୋଇଥିଲା ।
Prev Post