centurian jitm

ଦୁର୍ଗମ ଇସନଲା ଗାଁର କରୁଣ କାହାଣୀ : ସବୁ ଯୋଜନା ବାଟବଣା, ପୋଡ଼ୁ ଚାଷ ଓ ବାଲି ଚୁଆଁ ପାଣି ଭରସା

  • ‘କୋଶଳ ପ୍ରବାହ ‘ ଗ୍ରାଉଣ୍ଡ ଜିରୋ ରିପୋର୍ଟ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି ଇସନଲା ଗାଁ । ଗାଁଟି ଲାଞ୍ଜିଗଡ଼ ବ୍ଲକ ମହକୁମାଠାରୁ ୧୭ କିମି ଦୂର ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୭ କିମି ଦୂରରେ ରହିଛି । ଗାଁରେ ଆଜିକୁ ୨୦୦ ବର୍ଷ ହେଲା ୫୫ ପରିବାର ବସବାସ କରୁଛନ୍ତି । ସମସ୍ତେ ଗରିବ ଶ୍ରେଣୀର ହୋଇଥିବା ବେଳେ ବହୁ ଦୁଃଖରେ ଜୀବନ ବିତାଉଛନ୍ତି ।

ଇସନଲା ଗାଁରେ ଅନେକ ଗୁଡିଏ ସମସ୍ୟା ରହିଛି । ଗମନାଗମନ ମୁଖ୍ୟ ସମସ୍ୟା ରହିଥିବା ବେଳେ ରାସ୍ତା ଟିଏ ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା କାମ ନହୋଇ ବାଟ ମାରଣା ହୋଇଥିବା ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ହେଲେ ଠିକାଦାର ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ରାସ୍ତା ନଥିବା ଯୋଗୁଁ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ବର୍ଷକୁ ଥରେ ଗାଁକୁ ଆସୁଥିବାରୁ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି । ଗୁରୁତର ବ୍ୟକ୍ତି କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହି ୭ କିମି ପାଦରେ ଚାଲି ଚାଲି ବେଡାଗାଁ ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଡାକ୍ତରଖାନାକୁ ନିଆଯାଇଥାଏ । ବହୁ କଷ୍ଟରେ ଗ୍ରାମର ୧୩ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଛନ୍ତି । ରାସ୍ତା ନଥିବା ଯୋଗୁଁ ବହୁକଷ୍ଟରେ ହିତାଧିକାରୀମାନେ ପିଡିଏସ୍‌ ସାମଗ୍ରୀ ପଞ୍ଚାୟତରୁ ଆଣୁଛନ୍ତି । ଗାଁରେ ୨୦୦୯ ମସିହାରୁ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ଶିକ୍ଷକ ନିୟମିତ ଆସୁନଥିବାରୁ ବିଦ୍ୟାଳୟ ସପ୍ତାହକୁ ଥରେ ଖୋଲା ଯାଉଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗାଁରେ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଗାଁର ଦୁଇ ଆଦିବାସୀ ଝିଅ ଅମଲି ମାଝୀ ଓ ଗୁପ୍ତା ମାଝୀ ଗାଁ ନିକଟସ୍ଥ ଜଙ୍ଗଲ ଦେଇ ପାଦ ଚଲା ରାସ୍ତାରେ ୬ କିମି ଦୂର ଡୁମେରମୁଣ୍ଡା ବିଦ୍ୟାଳୟରେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ଯେତେ ଚେଷ୍ଟା କରିଥିଲେ ବି ସେମାନଙ୍କୁ ହଷ୍ଟେଲର ସୁବିଧା ମିଳିନାହିଁ ବୋଲି ଝିଅଙ୍କ ବାପା ନନ୍ଦ ମାଝୀ ଓ ପୁଙ୍ଗରି ମାଝି ଅଭିଯୋଗ କରିଛନ୍ତି ।

ଗାଁର ସବୁଠାରୁ ବଡ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ । ଗାଁ ନିକଟସ୍ଥ ଜମିରେ ବାଲି ଚୁଆଁ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ବ୍ଲକ ଜଳ ଯୋଗାଣ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ୨୦୨୨ ନଭେମ୍ବରରେ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ ।ଯନ୍ତ୍ରୀ ଶ୍ରୀ ମାଝୀ ରାସ୍ତା ହେଲେ ନଳକୂପ ଖୋଳାଯିବ ବୋଲି କହିବାରୁ ଏକ ଜେସିବି ଗାଡି ମାଲିକଙ୍କୁ ଗ୍ରାମବାସୀ ୫୦ ହଜାର ଟଙ୍କା ଚାନ୍ଦା କରି ଦେଇଥିଲେ । ହେଲେ ସଂପୃକ୍ତ ଜେସିବି ମାଲିକ ରାସ୍ତା ନିର୍ମାଣ ନକରି ରାତାରାତି ଫେରାର ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ନଥିବାରୁ ଆଜି ପର୍ଯ୍ୟନ୍ତ ବିଧାୟକ, ବ୍ଲକ ଅଧ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ ଦାୟିତ୍ୱରେ ଥିବା କୃଷି ଅଧିକାରୀ, ପ୍ରାଣୀ ଚିକିତ୍ସା କର୍ମଚାରୀ କେହି ଆସୁନଥିବା ଗ୍ରାମବାସୀ କହିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ନିର୍ବାଚିତ ସରପଞ୍ଚଙ୍କ ମଧ୍ୟ ଗାଁରେ ପାଦ ପଡିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୨୦ କିମି ଦୂର ବାଟ ବିଶ୍ୱନାଥପୁର ପଞ୍ଚାୟତରେ ଥିବା କୁକରଲା ଗାଁ କେନ୍ଦ୍ରକୁ ଶିଶୁଙ୍କ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ପରିବାର ଲୋକେ ଯାଇଥାନ୍ତି । ଦୁର୍ଭାଗ୍ୟର ବିଷୟ ଖାଦ୍ୟ ନିୟମିତ ମିଳୁନଥିବା ବେଳେ ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ ମଦନା ହରିଜନ ଖାଦ୍ୟକୁ ନିଜ ଘରେ ରଖି ୩ ମାସକୁ ଥରେ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି ।

ବିଜୁଳି ଆଲୁଅ ସାତସପନ ପାଲଟିଛି । ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା ପାଲଟିଛି । ବାରମ୍ବାର ଦାବୀ ପରେ ବେଡାଗାଁ ଛକଠାରୁ ଇସନଲା ଗାଁ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ପକ୍ଷରୁ କିଛି କାମ ହୋଇଛି ।କିନ୍ତୁ ଦାୟିତ୍ଵରେ ଥିବା ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଠିକାଦାର ୮୦ ପ୍ରତିଶତ ଅର୍ଥ ହରିଲୁଟ କରିଥିବା ନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିକଟରେ ଗତ ୧୩ ତାରିଖରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରିବାକୁ ବିଡ଼ିଓ ଶ୍ରୀ ମିଶ୍ର ଏକ ସପ୍ତାହ ସମୟ ମାଗିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି ।ଗାଁ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ।

ଜିଲ୍ଲାପାଳ ନିଜେ ଗାଁକୁ ଆସି ଗାଁ ଲୋକଙ୍କ ଦୁଃଖ ଦେଖିବାକୁ ତୁରନ୍ତ ଦୃଷ୍ଟି ଦେବାକୁ ଚିତ୍ର ଗଉଡ଼, ମଦନ ଚନ୍ଦ୍ର ଗଉଡ଼, ନନ୍ଦ ମାଝୀ, ରତ୍ନ ମାଝୀ, ପୁଙ୍ଗରି ମାଝୀ, ଦଧି ମାଝୀ, ବୃନ୍ଦାବନ ଗଉଡ଼, ଅମରାଜ ଗଉଡ଼, ଘୃଣା ଗଉଡ଼, ଲକ୍ଷ୍ମଣ ଗଉଡ଼, ଭକ୍ତିଧର ଗଉଡ଼, ମକର ଗଉଡ଼, ନବାଜ ଚନ୍ଦ୍ର ଗଉଡ଼ଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.