ସୁକତେଲ ଆଁରେ ବିଲୀନ ଜଙ୍ଗଲ ପରିବେଶ : ଆଂଶିକ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଏବେ ଆପାତତଃ ଶେଷ ପର୍ଯ୍ୟାୟରେ । ଆଗାମୀ ଜୁଲାଇ ମାସରେ ବନ୍ଧରେ ପାଣି ରଖାଯିବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ଏସବୁ ଭିତରେ ଏବେ ଜଳମଗ୍ନ ହେଉଥିବା ଅଞ୍ଚଳର ଲକ୍ଷ ଲକ୍ଷ ଗଛ କଟା ଚାଲିଛି । ଏହା ସହିତ ଏହିସବୁ ଅଞ୍ଚଳରେ ଗ୍ରାମକୁ ଲାଗି ରହିଥିବା ଗଛ ମଧ୍ୟ କଟା ଚାଲିଛି । ଫଳରେ ଆଂଶିକ କ୍ଷତିଗ୍ରସ୍ତ ଲୋକେ ଯେଉଁସବୁ ଅଞ୍ଚଳରେ ରହୁଛନ୍ତି, ସେମାନେ ଗଛବିନା କିପରି ବଞ୍ଚିବୁ ବୋଲି ଅଭିଯୋଗ କରୁଛନ୍ତି । ସମ୍ପୂର୍ଣ୍ଣ ଗଛ ନଷ୍ଟ ହେଲା ପରେ ମୁକ୍ତ ବାୟୁ ଟିକେ ମିଳିବା ଅସମ୍ଭବ ହୋଇଯିବା ସହ ଭୀଷଣ ଗରମ ଜୀବନକୁ ବିପର୍ଯ୍ୟସ୍ତ କରିଦେବ ବୋଲି କହୁଛନ୍ତି । ଏ ବିଷୟରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କହିବା କଥା, ଜଳମଗ୍ନ ହେଉଥିବା ଅଞ୍ଚଳର ସମସ୍ତ ଗଛ କାଟିବାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏଣୁ ଜଳମଗ୍ନ ଅଞ୍ଚଳରେ ଗଛ ରହିବ ନାହିଁ । ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପରେ ଅବସ୍ଥା ଦେଖି ଗଛ ଲଗାଯିବାର ବ୍ୟବସ୍ଥା କରାଯିବ । ଯାହାବି ହେଉ ରହିଯାଉଥିବା ଲୋକେ ନିଶ୍ଚିତ ଭାବେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ତତଃ ଗ୍ରାମ ପାର୍ଶ୍ଵସ୍ଥ ଗଛ ନକାଟିବ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.