ଯୁଧିଷ୍ଠିରଙ୍କ ବିୟୋଗରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ତଥା ସାଲିସବିହୀନ ଲୋକପ୍ରିୟ ରାଜନେତା ଦିବଂଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ଅକାଳ ବିୟୋଗରେ ଡେଲାଙ୍ଗର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଇନଜୀବୀ ଭୀମସେନ ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଦିବଂଗତ କଂଗ୍ରେସ ନେତା ସାମନ୍ତରାୟଙ୍କ ବିୟୋଗ ସମଗ୍ର ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀ ପାଇଁ ଅପୂରଣୀୟ କ୍ଷତି ହୋଇଥିବାବେଳେ ତାଙ୍କ ଶୂନ୍ୟସ୍ଥାନ ଅନ୍ୟ କେହି ପୂରଣ କରିପାରିବେ ନାହିଁ ବୋଲି ଆଇନଜୀବୀ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରାକ୍ତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାର ବାବୁ ଜଣେ ସ୍ପଷ୍ଟବାଦୀ, ସାଲିସବିହୀନ ଓ ଲଢ଼ୁଆ ନେତା ଥିଲେ ବୋଲି ପ୍ରଧାନ ପ୍ରକାଶ କରିବା ସହ ୧୯୯୫ ରୁ ୨୦୦୦ମସିହା ପର୍ଯ୍ୟନ୍ତ କେଦାର ବାବୁଙ୍କ ବିଧାୟକତ୍ଵ ସମୟରେ ସମଗ୍ର ଡେଲାଙ୍ଗ ଓ ପିପିଲି ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଯଥା କୋର୍ଟ, ପୋଲିସ୍ ଫାଣ୍ଡି, ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଆଦି କାର୍ଯ୍ୟ ତ୍ୱରାନ୍ତିତ ହୋଇପାରିଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏପରିକି ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କେଦାର ବାବୁ ଅହରହ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ ଭାବେ ସାମିଲ କରିପାରିଥିଲେ ବୋଲି ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିବା ସହ ତାଙ୍କ ପରଲୋକରେ ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମତପ୍ରକାଶ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରଲୋକେ ଧୈର୍ଯ୍ୟ ରଖିବାକୁ ଶ୍ରୀ ପ୍ରଧାନ ନିବେଦନ କରିବା ସହ ଶୋକସନ୍ତପ୍ତ ଆତ୍ମୀୟସ୍ୱଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.