ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଜୁନା ପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମଙ୍ଗୁ ମାଝୀ ୨୮ଗୁରୁବାର ସନ୍ଧ୍ୟାରେ ଇନ୍ଦ୍ରାବତୀ ପାୱାର ଚ୍ୟାନେଲକୁ ଶୌଚ ପାଇଁ ଯାଇ ଗଭୀର ସ୍ରୋତରେ ଭାସି ଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଇତି ମଧ୍ୟରେ ୨୪ଘଣ୍ଟା ବିତିଯାଇ ଥିଲେ ମଧ୍ୟ ନିଖୋଜ ଯୁବକର ପତ୍ତାମିଳି ନ ଥିବା ଘଟଣା ସ୍ଥଳରୁ ଜଣା ପଡ଼ିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ହୋଇ ପାରି ନ ଥିବାରୁ ଫେରି ଆସିଥିବା ସୂଚନା ମିଳିଛି । ଅପରାହ୍ନ ତିନିଟା ବେଳେ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ସକାଳୁ ଜଳ ସ୍ରୋତ କମାଇବା ପାଇଁ ବିଦ୍ୟୁତ୍ ଉତ୍ପାଦନକୁ ବନ୍ଦ କରାଯାଇଛି । ମଙ୍ଗଳ ପୁର ହାତୀ ବେରେଜରେ ଅଧିକ ପାଣି ରହିଥିବାରୁ ପାୱାର କେନାଲର ଜଳ ସ୍ରୋତ କମିବାରେ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି । ଗାଁ ଲୋକ ମଧ୍ୟ ଖୋଜା ଖୋଜିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପଟରେ ପ୍ରଭାବିତ ପରିବାର ଭିନ୍ନକ୍ଷମର ଶବ ଖୋଜିବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।