
ବଲାଙ୍ଗିର, (କେପିଏନ୍ଏସ୍) : ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ ପେକ୍ଷାଳୟରେ ଜିଲ୍ଲାସ୍ତରୀୟ ଅଭାଷୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି , ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର , ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏହାକୁ ଏକ ଯୁଗାନ୍ତକାରି ପଦକ୍ଷେପ ବୋଲି କହିଥିଲେ । ଏହି ସରକାର ଲୋକଙ୍କ ସରକାର । ସମସ୍ତ ଯୋଜନା ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ୩୧୦୦ ଟଙ୍କାର କୁଇଣ୍ଟାଲ ପିଛା ସବସିଡ଼ି, ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ବର୍ଷକୁ ଦଶ ହଜାର ଟଙ୍କା , ଆଦି ଅନେକ ଯୋଜନା ସ୍ଵବଲମ୍ବୀ କରିବ । ଆଗାମୀ ପାଞ୍ଚ ବର୍ଷରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପାଇଁ ସରକାର ବଦ୍ଧପରିକର । ସମାଜର ଅନ୍ତିମ ସୋପାନରେ ଥିବା ଲୋକ ଏହି ଲାଭରେ ଲାଭବାନ ହେବେ । ପୂର୍ବରୁ ସୁପାରିଶ ବଦଳରେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଥିବା ବେଳେ ଏବେ ଗ୍ରାମସଭା ନିଷ୍ପତି ଅନୁସାରେ ଜଣେ ଯୋଜନାର ଲାଭବାନ ହେବ । ନିଜ ଅଭିଭାଷଣରେ ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ ବୋଲି କହିଥିଲେ । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ । ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ । ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ । ଆଗଲପୁର ର ୨୩୬ ଜଣ, ବଲାଙ୍ଗିର ୩୦୩, ବଙ୍ଗୋମୁଣ୍ଡା ୧୬୩, ବେଲପଡା ୩୦୩, ଦେଓଗାଁ ୩୪୧, ଗୁଡଭେଳା ୧୩୩ , ଖପ୍ରାଖୋଲ ୩୧୧ , ଲୋଇଶିଙ୍ଗା ୧୯୭, ମୁରିବାହଳ ୨୨୬ , ପାଟଣାଗଡ଼ ୩୧୯, ପୁଇଁତଳା ୩୧୫, ସଇଁତଳା ୧୭୨ , ଟିଟିଲାଗଡ ୧୯୭, ତୁରେକେଲା ୧୯୪ ଜଣଙ୍କୁ ସମୁଦାୟ ୩୪୧୦ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଗଲା । ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି । ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି । ପ୍ରାରମ୍ଭରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ମଧ୍ୟ ଉପସ୍ଥିତ ଜନସାଧାରଣ ଶୁଣିଥିଲେ । ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଦେଇଥିଲେ ।