jayashree

ଜିଲ୍ଲା ଯୋଜନା କମିଟିର ନିଷ୍ପତ୍ତି ଶୁଣୁ ନାହାନ୍ତି ସରକାର : ନରସିଂହ

  • ଆଲୋଚନାରେ ରହି ଯାଉଛି ଯୋଜନା, ବୈଠକ ହେଉଛି ମୂଲ୍ୟହୀନ
  • ଅନୁଦାନ ଆସି ପଡିରହିଥିବା ଯୋଜନାରେ କାର୍ଯ୍ୟାନ୍ୱୟନ ଶୀଘ୍ର କରାଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯୋଜନା କମିଟିର ନିଷ୍ପତ୍ତି ଶୁଣୁ ନାହାନ୍ତି ସରକାର ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର । ସେ ଆହୁରୀ କହିଛନ୍ତି ଯେ, ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଯୋଜନା କମିଟି ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଥାଏ । ପରେ ତାହାର ସବିଶେଷ ରୂପରେ ଏକ ଯୋଜନା କମଟି ନିଷ୍ପତ୍ତି ଅନୁଯାୟୀ ସରକାରଙ୍କ ପାଖକୁ ପଠାଯାଏ । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଏହି କମିଟି ବୈଠକରେ ଯାହା କିଛି ନିଷ୍ପତ୍ତି ହୋଇଛି ସେ ସବୁର କୌଣସି ଫଳ ବାହାରୁ ନାହିଁ । ଏହି କମିଟିର ସଭ୍ୟମାନେ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଉଛନ୍ତି ସତ କିନ୍ତୁ ତାହା ଆଲୋଚନା ଓ କାଗଜପତ୍ରରେ ସିମିତ ରହିଯାଉଛି । ତେଣୁ ଏହି ବୈଠକ ଜିଲ୍ଲାର ବିକାଶରେ ସହାୟକ ହେବା ପରିବର୍ତ୍ତେ ଜିଲ୍ଲାବାସୀଙ୍କୁ ଓଲଟା ଫଳ ଦେଉଛି ବୋଲି ଆଜି ସ୍ଥାନୀୟ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରରେ ଜିଲ୍ଲା ଯୋଜନା କମିଟିର ବୈଠକରେ ଯୋଗଦେଇ ସାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ର ଗତ ଫେବୃୟାରୀ ମାସରେ ହୋଇଥିବା ବୈ÷ଠକରେ ନିଷ୍ପତ୍ତି ଅନୁଯାୟୀ କୌଣସି ଗୋଟିଏ ବି ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ପ୍ରଶ୍ନ କରିଥିଲେ । ଗତ ବୈଠକରେ ବିଧାୟକ ଶ୍ରୀ ମିଶ୍ର ଜିଲ୍ଲାକୁ ଅନେକ ଅନୁଦାନ ଆସି ପଡି ରହିଥିଲେ ହେଁ ତାହା ଖର୍ଚ୍ଚ ନ ହୋଇ ପଡି ରହିଥିବାର ଦର୍ଶାଇଥିଲେ । ଯାହାକି ଦୀର୍ଘ ୭ ମାସ ପରେ ଅନୁଷ୍ଠିତ ହୋଇଥିବା ଆଜିର ବୈଠକ ପର୍ଯ୍ୟନ୍ତ ମଧ୍ୟ ଖର୍ଚ୍ଚ ନ ହୋଇ ପଡି ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ବଲାଙ୍ଗିର ବିଧାୟକ ସୋନଗଡ ଅଙ୍ଗ ନଦୀରେ ବ୍ୟାରେଜ, ଭୀମପାହାଡ ପର୍ଯ୍ୟଟନ ସ୍ଥଳିର ଆହୁରି ବିକାଶ ସାଙ୍ଗକୁ ରାଣୀପୁର ଝରିଆଲ, ଚାନ୍ଦଲି ପାହାଡ, କୁମୁଡା ପାହାଡର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ଏକ ଟେକ୍ସଟାଇଲ ମିଲ, ବିଜୟାନନ୍ଦ ସୁଗର ଫେକ୍ଟ୍ରିର ଉଦ୍ଧାର ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବିଭିନ୍ନ ଜାଗାରେ ଖେଳ ଭିତ୍ତିଭୂମି ବିକାଶ ସାଙ୍ଗକୁ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ବଲାଙ୍ଗିରକୁ ଆଣିବା, ବଲାଙ୍ଗିରରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଭୀମଭୋଇ ମେଡିକାଲ କଲେଜରେ ହୃଦରୋଗ ତଥା କାଡିଓଲୋଜି ଓ ନେପ୍ରୋଲୋଜି ଡିପାମେଣ୍ଟ ଖେଳିବା, ହାଇକୋର୍ଟର ପାରମାନେଣ୍ଟ ବେଞ୍ଚ ପୁନଃ ପ୍ରତିଷ୍ଠା କରିବା, କଣ୍ଟାବାଞ୍ଜିର ଓା୍ୱଗନ ମରାମତି କାରଖାନା, ଖାଲିଥିବା ଡାକ୍ତରୀ ପଦବୀ ପୁରଣ କରିବା, ମହାରାଣୀ ସାଗର, ମହାରାଜା ସାଗର ଓ ଲକ୍ଷ୍ମୀଯୋର ନାଳା କାମ ଶୀଘ୍ର ଆରମ୍ଭ କରିବା ତଥା ବଲାଙ୍ଗିରର ଡ୍ରେନେଜ ସିଷ୍ଟମର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବୀକୁ ନେଇ ବୈଠକରେ ପ୍ରସ୍ତାବ ପାରିତ କରାଯାଇଥିଲା । କିନ୍ତୁ ଏଥିରୁ କୌଣସି ବି ଗୋଟିଏ ପ୍ରସ୍ତାବ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହେବା ଅତି ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ତାହା ସହ ଏହା ମଧ୍ୟ ସେ କହିଥିଲେ ଯେ, ଲକ୍ଷ୍ମୀଯୋର ନାଳାର ଉଭୟ ପାଶ୍ୱର୍ରେ ଥିବା ନିର୍ବିବାଦୀୟ ଜମିରେ ଜଳ ସେଚନ ବିଭାଗ ତରଫରୁ ଲକ୍ଷ୍ମୀଯୋର ପାଇଁ ଆସିଥିବା ଟଙ୍କାରେ ଶୀଘ୍ର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଜିଲ୍ଲାର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲା ଯୋଜନା କମିଟି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ, କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା, ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ବଲାଙ୍ଗିରରେ ହେଉ ବୋଲି ପ୍ରସ୍ତାବ ନିଶ୍ଚିତ ଭାବରେ ଯିବା ଉଚିତ ବୋଲି ଶ୍ରୀ ମିଶ୍ର ପ୍ରସ୍ତାବ ରଖିଥିଲେ ।

Leave A Reply

Your email address will not be published.