ଦୀନ ଦୟାଲ ସ୍ପର୍ଶ ଯୋଜନାରେ ଡାକ ଟିକଟ ସଂଗ୍ରହ ପାଇଁ ମିଳିବ ଛାତ୍ରବୃତ୍ତି

  • ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ କରିପାରିବେ ଆବେଦନ
  • ବାର୍ଷିକ ୬,୦୦୦ ଟଙ୍କା ବୃତ୍ତି ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘ଦୀନ ଦୟାଲ ସ୍ପର୍ଶ ଯୋଜନା’ର ଶୁଭାରମ୍ଭ କରାଯାଇଛି । ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଏବଂ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦/- ଟଙ୍କା ଓ ମାସିକ ୫୦୦/-ଟଙ୍କାର ବୃତ୍ତି ଦିଆଯିବ । ପ୍ରଥମସ୍ତରର ପ୍ରତିଯୋଗିତା ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ଏବଂ ଦ୍ୱିତୀୟ ସ୍ତରର ପ୍ରତିଯୋଗିତା ଭାବେ ଡାକ ଟିକେଟ୍‌ ସଂଗ୍ରହ ପ୍ରକଳ୍ପକୁ ଆଧାର କରି ଅନ୍ତିମ ପ୍ରାର୍ଥୀ ଚୟନ କରାଯିବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଦିଷ୍ଟ ଡାକ ପ୍ରଭାଗ ମାଧ୍ୟମରେ ଆବେଦନ ପ୍ରାପ୍ତିର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୪ ରଖାଯାଇଛି । ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇଁ ପ୍ରାରମ୍ଭିକ ତାରିଖ ୨୯ ସେପ୍ଟେମ୍ବର, ୨୦୨୪ ରଖାଯାଇଛି । ବୃତ୍ତି ଯୋଜନା ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି, ଲିଖିତ ପ୍ରଶ୍ନୋତ୍ତର ର ପାଠ୍ୟଖସଡ଼ା, ଡାକ ଟିକେଟ୍‌ ସଂଗ୍ରହ ପ୍ରକଳ୍ପ କାର୍ୟ୍ୟ ଆଦି ସମ୍ପର୍କରେ ସୂଚନା ୱେବସାଇଟ୍‌ http://odishapost.gov.inରେ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ବରିଷ୍ଠ ଅଧିକ୍ଷକ/ଅଧିକ୍ଷକ, ପିଏମ୍‌ଜି ସମ୍ବଲପୁର/ବ୍ରହ୍ମପୁର ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରାଯାଇପାରିବ ।

Leave A Reply

Your email address will not be published.