ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତରେ ଦୀର୍ଘ ବର୍ଷ ହେବ ଭଡ଼ାରେ ଯୋଗାଣ ସହାୟକ ଥିବା ବେଳେ ଏଠାରେ ସ୍ଥାୟୀ ସରକାରୀ ଯୋଗାଣ ସହାୟକ ନିଯୁକ୍ତି କରିବା ପାଇଁ ଦାବି ହେଉଛି । ବିଭିନ୍ନ ସମୟରେ ସ୍ଥ।ୟୀ ଯୋଗାଣ ସହାୟକ ନିଯୁକ୍ତି କରିବା ପାଇଁ ପଞ୍ଚାୟତ ପ୍ରଶାସନ ଓ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସମୟରେ କାର୍ଡରେ ନାମ ଯୋଡିବା ପାଇଁ କାଗଜପତ୍ର ଦେଲେ ମଧ୍ୟ ଯୋଡୁ ନ ଥିବାରୁ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାସନ କାର୍ଡ ପାଇଁ ହଜାର ହଜାର ଟଙ୍କା କାରବାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଟଙ୍କା ଦେଲେ ମଧ୍ୟ କାର୍ଡ ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପଂଚାୟତରେ ଚାଉଳ ଦେବା ସମୟରେ ପଂଚାୟତ ପିଅନ ମାନେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି । କେଉଁ ଆଧାରରେ ଭଡାରେ ଯୋଗାଣ ସହାୟକ ନିଯୁକ୍ତି କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଭଡା ଯୋଗାଣ ସହାୟକ ବଙ୍ଗୋମୁଣ୍ଡା ଯୋଗାଣ ବିଭାଗର ଡିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବିଡ଼ିଓ ସଂକର୍ଷଣ ବେହେରାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଆଗାମୀ ଦିନରେ ସ୍ଥାୟୀ ଯୋଗାଣ ସହାୟକ ନିଯୁକ୍ତି ନ କଲେ ବ୍ଲକ ଓ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।