ଜଳ ଜୀବନ ମିଶନ : ୨.୦୮ ଲକ୍ଷ କୋଟି କେନ୍ଦ୍ରୀୟ ବ୍ୟୟ ସହିତ, ୧୫.୭୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ଯୋଗାଣ

● ୧୫.୭୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ବିଶୁଦ୍ଧ ଜଳ ଯୋଗାଣ
● ୨୦୧୯ରେ ଜଳଜୀବନ ମିଶନର ଶୁଭାରମ୍ଭ ସମୟରେ ଦେଶରେ ୩.୨୩ କୋଟି ପରିବାରରେ ଟ୍ୟାପ୍ ଜଳ ସଂଯୋଗ ଥିଲା, ଇତିମଧ୍ୟରେ ଦେଶର ସବୁଠୁ ଦ୍ରୁତ ଭିତ୍ତିଭୂମି ବିସ୍ତାର ଜରିଆରେ ଅତିରିକ୍ତ ୧୨.୪୮ କୋଟି ପରିବାରକୁ ଟ୍ୟାପ ସଂଯୋଗ ମିଳିଛି
● ଏହି ମିଶନ ବାର୍ଷିକ ୩ କୋଟି ନିଯୁକ୍ତି ସହ ପ୍ରାୟ ୨୫ ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍ ପ୍ରଶିକ୍ଷଣ ଦେଇଛି
● ସ୍ୱଚ୍ଛ ଜଳ ଯୋଗାଣ କାରଣରୁ ଦେଶରେ ୪ ଲକ୍ଷ ଡାଇରିଆ ମୃତ୍ୟୁ ରୋକାଯାଇପାରିଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଆକଳନ
● ପାଣି ସଂଗ୍ରହରେ ବିତାଉଥିବା ସମୟ ହ୍ରାସ, ଦୈନିକ ପ୍ରାୟ ୫.୫ କୋଟି ଘଣ୍ଟା ସମୟ ସଞ୍ଚୟ, ମହିଳାଙ୍କ ଉପରେ ପଡ଼ୁଥିବା ତିନି ଚତୁର୍ଥାଂଶ ବୋଝ ହ୍ରାସ
● ସାରା ଭାରତରେ ୨,୮୪୩ ଜଳ ପରୀକ୍ଷଣ ପରୀକ୍ଷାଗାରରେ ୨୦୨୫-୨୬ ରେ ୩୮.୭୮ ନମୁନା ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଜଳ ଜୀବନ ମିଶନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅଧୀନରେ ୮୧ ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ଜଳ ଯୋଗାଣ କରାଯାଇଛି । ୨୨ ଅକ୍ଟୋବର ୨୦୨୫ ସୁଦ୍ଧା ୧୫.୭୨ କୋଟିରୁ ଅଧିକ ଗ୍ରାମୀଣ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି । କେନ୍ଦ୍ର ସରକାର ଏହି ମିଶନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ କେନ୍ଦ୍ରୀୟ ଅନୁଦାନ ଆକାରରେ ୨,୦୮,୬୫୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୧୯ରେ ଏହି ମିଶନର ଶୁଭାରମ୍ଭ କରିଥିଲେ । ସେତେବେଳେ ମାତ୍ର ୩.୨୩ କୋଟି ପରିବାର ଅର୍ଥାତ୍ ୧୬.୭୧ ପ୍ରତିଶତ ଲୋକଙ୍କ ପାଖରେ ନଳ ଯୋଗେ ଜଳ ଯୋଗାଣ ସୁବିଧା ଥିଲା । ବର୍ତ୍ତମାନ ସୁଦ୍ଧା ୧୨.୪୮ କୋଟି ଅତିରିକ୍ତ ପରିବାରକୁ ଟ୍ୟାପ ପାଣି ସଂଯୋଗ ମିଳିଛି । ଏହି ମିଶନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ପାଣି ଆଣିବା ଲାଗି ମହିଳାମାନଙ୍କୁ କରିବାକୁ ପଡ଼ୁଥିବା କଠିନ ପରିଶ୍ରମରୁ ମୁକ୍ତି ମିଳିଛି । ଏବେ ସୁଦ୍ଧା ମିଶନରେ ୧୯୨ଟି ଜିଲ୍ଲାର ସବୁ ଘର, ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଟ୍ୟାପ୍ ଜଳ ଯୋଗାଣ କରାଯାଇଛି । ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଶତପ୍ରତିଶତ ଟ୍ୟାପ୍ ପାଣି ସଂଯୋଗ ଲକ୍ଷ୍ୟ ହାସଲ କରିଛନ୍ତି । ଦେଶର ୯ ଲକ୍ଷରୁ ଅଧିକ ବିଦ୍ୟାଳୟ ଏବଂ ସାଢ଼ ୯ ଲକ୍ଷରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରକୁ ନଳ ଯୋଗେ ଜଳ ଯୋଗାଣ କରାଯାଇଛି । ୨୦୨୫-୨୬ (ଅକ୍ଟୋବର ୨୧ ତାରିଖ ସୁଦ୍ଧା) ବର୍ଷରେ ମୋଟ୍ ୨୮୪୩ଟି ପରୀକ୍ଷାଗାରରେ ୩୮.୭୮ ଲକ୍ଷ ଜଳ ନମୁନା ପରୀକ୍ଷା କରାଯାଇଛି । ଏହା ମାଧ୍ୟମରେ ଜଳର ଗୁଣବତ୍ତା ଏବଂ ନିରୀକ୍ଷଣ ସୁନିଶ୍ଚିତ କରାଯାଇଛି । ଏହି ମିଶନରେ ଜନଭାଗିଦାରୀ ସୁନିଶ୍ଚିତ କରିବା ଲାଗି ୫.୦୭ ଲକ୍ଷ ଗାଁରେ ୨୪.୮୦ ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍ (ଏଫଟିକେ) ଯୋଗାଇ ଦିଆଯାଇଛି । ସେମାନେ ଜଳ ନମୁନା ପରୀକ୍ଷା କରି ଗୁଣବତ୍ତା ପ୍ରମାଣିତ କରୁଛନ୍ତି । ଡିଜିଟାଲ ନମସୃଜନ ମାଧ୍ୟମରେ ଗ୍ରାମୀଣ ଜଳ ଯୋଗାଣ କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବା ସହିତ ଏହି ମିଶନର କାର୍ଯ୍ୟକାରିତାକୁ ପ୍ରଭାବୀ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ମୁତାବକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ସଂଯୋଗ ଫଳରେ ଦୈନିକ ୫.୫ କୋଟି ଘଣ୍ଟା ସମୟ ସଞ୍ଚୟ ହୋଇଛି । ଏହାଦ୍ୱାରା ମହିଳାଙ୍କ ଉପରେ ପଡ଼ୁଥିବା ସମୟ ବୋଝର ତିନି ଚତୁର୍ଥାଂଶ ହ୍ରାସ କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଫଳରେ ୪ ଲକ୍ଷ ଡାଇରିଆ ଜନିତ ମୃତ୍ୟୁକୁ ରୋକାଯାଇପାରିଛି । ସେହିପରି ୧୪ ନିୟୁତ ଅକ୍ଷମତା ସମାଯୋଜିତ ଜୀବନ ବର୍ଷ (ଡିଏଏଲୱାଇ)କୁ ଏଡ଼ାଇ ଦିଆଯାଇପାରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଗବେଷଣା ଅନୁଯାୟୀ, ଘର ବାହାରୁ ପାଣି ଆଣୁଥିବା ଲୋକଙ୍କ ସଂଖ୍ୟା ୮.୩ ପ୍ରତିଶତ ହ୍ରାସ ପାଇଛି । ଫଳରେ ୯ କୋଟି ମହିଳାଙ୍କୁ ଆଉ ପାଣି ଆଣିବାରେ ସମୟ ବିତାଇବାକୁ ପଡ଼ୁନାହିଁ । ଏଥିଯୋଗୁ କୃଷି ଏବଂ ଆନୁସଙ୍ଗିକ ଗତିବିଧିରେ ମହିଳାଙ୍କ ଭାଗିଦାରୀରେ ୭.୪ ପ୍ରତିଶତ ବୃଦ୍ଧି ପାଇଛି । ନୋବେଲ ପୁରସ୍କାର ବିଜେତା ପ୍ରାଧ୍ୟାପକ ମାଇକେଲ କ୍ରେମରଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସୁରକ୍ଷିତ ଜଳ ଯୋଗାଣ ଦ୍ୱାରା ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ଆସିପାରେ । ତେଣୁ ଜଳ ଜୀବନ ମିଶନ ପ୍ରତିବର୍ଷ ଆନୁମାନିକ ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଉଛି । ସେହିପରି ଏହା ତିନି କୋଟିରୁ ଅଧିକ ରୋଜଗାର ମଧ୍ୟ ସୃଷ୍ଟି କରିପାରିଛି । ଗତ ଛଅ ବର୍ଷ ମଧ୍ୟରେ ଏହି ମିଶନ ଅନେକ ଉପଲବ୍ଧି ହାସଲ କରିଛି ।

Leave A Reply

Your email address will not be published.