jayashree

ହରିଶଙ୍କର ଉପ୍ତାଦକ ସଂଘ ଦ୍ୱାରା ପ୍ରାମାଣିକ ହରଡ ବିହନ ଯୋଗାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହରିଶଙ୍କର ଉପ୍ତାଦକ ସଂଘ ତରଫରୁ ପ୍ରଥମ ପର୍ଯ୍ୟାୟରେ ୩୦ କ୍ୱିଣ୍ଟାଲ ପ୍ରମାଣିକ ହରଡ ବିହନ ଓଡିଶା ରାଜ୍ୟ ବିହନ ନିଗମକୁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଜଗବନ୍ଧୁ ପଟେଲ, ବ୍ଲକ କୃଷି ଅଧିକାରୀ, ବଲାଙ୍ଗିର ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହରିଶଙ୍କର ଉପ୍ତାଦକ ସଂଘର କର୍ମକର୍ତ୍ତାବୃନ୍ଦ ଯୋଗଦେଇଥିଲେ । ହରଡ ଏକ ମରୁଡି ସହଣୀ ଫସଲ ଓ ବଲାଙ୍ଗିର ଜିଲ୍ଲା ଜଳବାୟୁରେ ହରଡ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ପଟେଲ ମତବ୍ୟକ୍ତ କରିଥିଲେ । କ୍ରମାଗତ ଭାବରେ ହରଡର ସମର୍ଥନ ମୂଲ୍ୟ ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଉଥିବାରୁ ନିହ ଢିପ ଜମିରେ ସ୍ୱଳ୍ପଖର୍ଚ୍ଚରେ ହରଡ ଚାଷ କରିବାକୁ କୃଷକମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସୂଚନା ଯୋଗ୍ୟ ଯେ ଏ ବର୍ଷ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଆଇର୍କାଡର ମିଳିତ ପ୍ରଚେଷ୍ଟାରେ ବଲାଙ୍ଗିର ଜିଲ୍ଲାରେ ୫୬୩ ହେକ୍ଟରରେ ହରଡ଼ର ବିହନ ଉପ୍ତାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ଶତପଥି ଜିଲ୍ଲା ସଂଯୋଜକ ସୂଚନା ଦେଇଥିଲେ ଯେ ଏହି ଖରିଫ ଋତୁରେ ବ୍ୟାପକ କୃଷି ଯୋଜନାରେ (ଅମରାବତୀ ଓ ଉଜ୍ୱଳା) ଅଧିକ ଅମଳକ୍ଷମ ପିଣ୍ଡ ବିହନ ଯୋଗାଇ ଦିଆଯାଇଥିଲା । ଯାହା ମାତ୍ର ୧୪୦ ଦିନ ମଧ୍ୟରେ ଅମଳକ୍ଷମ ହୋଇପାରିବ । ତାଛଡା ପ୍ରକଳ୍ପ ତରଫରୁ ସମସ୍ତ ପ୍ରକାର ଜ୍ଞାନ କୌଶଳ ଯୋଗାଇ ଦିଆଯାଇଥିଲା ।

Leave A Reply

Your email address will not be published.