
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଠିକାଦାରପଡା ଠାରେ ଗତ ୯ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ତୁଳସୀ ରାମାୟଣ ପାରାୟଣରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗତକାଲି ଅଷ୍ଟମ ଦିନରେ ଯୋଗ ଦେଇଛନ୍ତି । ସେ ଏଠାରେ ପୂଜା ପାଉଥିବା ପ୍ରଭୁଙ୍କ ଦର୍ଶନ କରି ପୂଜା କରି ସମସ୍ତଙ୍କର କଲ୍ୟାଣ କାମନା କରିଥିଲେ । କିଛି ସମୟ ରାମାୟଣ ପାରାୟଣ ଶ୍ରବଣ କରିବା ସହିତ ମହିଳା ଭକ୍ତମାନଙ୍କ ସହିତ ପ୍ରଭୁଙ୍କ ସଙ୍ଗୀତ ଓ ନୃତ୍ୟରେ ସାମିଲ ହୋଇଥିଲେ । ପଡାବାସୀ ତାଙ୍କୁ ସ୍ଵାଗତ କରିଥିଲେ । ଏହି ପାରାୟଣରେ ବ୍ୟାସ ରୂପରେ ପାଟଣାଗଡ଼ ଅଏଁଲାଚୁଆଁର ରମାକାନ୍ତ ପଣ୍ଡା ନବଦିନ ବ୍ୟାପି ପୁରାଣ ପାଠ କରୁଛନ୍ତି । ମୁଖ୍ୟ କର୍ତ୍ତା ରୂପେ ବିଜୟ ମିଶ୍ର ଓ ତାଙ୍କର ପତ୍ନୀ ପ୍ରେମଲତା ମିଶ୍ର ଥିବା ବେଳେ ପୂଜକ ଦେବରାଜ ମିଶ୍ର ଅଛନ୍ତି । ଗତକାଲି ଅଷ୍ଟମ ଦିନରେ ପହଞ୍ଚିଥିବା ରାମାୟଣ କଥାରେ ରାବଣ ବଧ ଓ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବର୍ଣ୍ଣନା ବେଳେ ବ୍ୟାସଙ୍କ ବୁଝାଉଥିବା ଶୈଳୀ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲା । ଆଜି ପାରାୟଣର ଶେଷ ଦିବସରେ ପ୍ରଭୁଙ୍କ ଅଭିଷେକ ହେବ । ସମଗ୍ର ପଡାରେ ସ୍ଵାଗତ ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ପ୍ରତି ଘର ଆଗରେ କଳସ ସ୍ଥାପନ କରି ସମସ୍ତେ ଅଯୋଧ୍ୟାବାସୀ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନାରେ ମୁଖରିତ । ସମସ୍ତ କାର୍ଯ୍ୟକ୍ରମ ସଫଳତାରେ ଦୁର୍ବାଦଳ ସ୍ଵାଇଁ, ବସନ୍ତ ସ୍ଵାଇଁ, ଅର୍ଜୁନ ପାତ୍ର, ବାବୁଲା ସାହୁ ପ୍ରମୁଖ ସହଯୋଗରେ ପାରାୟଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।