ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ : ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ

ନୂଆପଡ଼ା : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରିଥିଲେ । ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ, ସେ ତାଙ୍କର ଜଣେ ଉତ୍ତମ ବନ୍ଧୁ ଥିଲେ । ଢୋଲକିଆଙ୍କ ରାଜନୈତିକ ପ୍ରତିନ୍ଦ୍ୱନ୍ଦୀ ଥାଇ ପାରନ୍ତି କିନ୍ତୁ ତାଙ୍କ କେହି ରାଜନୈତିକ ଶତ୍ରୁ ନଥିଲେ । ୨୦୦୪ ମସିହାରୁ ୪ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ । ତାଙ୍କର ବିୟୋଗରେ ନୂଆପଡା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଧାୟକଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ପୁତ୍ର ଜୟଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହି ସ୍ମୃତି ଚାରଣ ସଭାରେ ନୂଆପଡା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ । ଉଭୟ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଅନେକ ନେତା ତଥା ବରିଷ୍ଠ କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମୂଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ । ସ୍ଥାନୀୟ ଗୋଟମା ଏୟାର ଷ୍ଟ୍ରିପରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ସାମ୍ବାଦିକଙ୍କୁ ସାକ୍ଷାତକରି ସେ କହିଲେ ଯେ, ନୂଆପଡ଼ା ଜିଲ୍ଲା ଭୁବନେଶ୍ୱରରୁ ବହୁ ଦୂରରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି । ତେଣୁ ଜିଲ୍ଲାକୁ ବାରମ୍ବାର ଆସି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟିତ ରହିବେ ବୋଲି କହିଥିଲେ ।

Leave A Reply

Your email address will not be published.