ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶର ସର୍ବପୂରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପୁରୀ ୧୫ ନଂ ଜିଲ୍ଲା ପରିଷଦ ଜୋନରେ ଶକ୍ତ ଧକ୍କା ଲାଗିଛି । ଦଳୀୟ ନେତାଙ୍କ ଅଣଦେଖା, ଅସମ୍ମାନ କରିବା ଓ ନିର୍ବାଚନ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନକୁ ଦାୟୀ କରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ କଂଗ୍ରେସ ପ୍ରାର୍ଥିନୀ ସୁକାନ୍ତି ସାହୁ ଦଳକୁ ପ୍ରତ୍ୟାଖାନ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବେ ସୁକାନ୍ତି ସାହୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମାତ୍ର ମତଦାନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ତାଙ୍କୁ ଅପମାନିତ କରିଥିବା ଏବଂ ନିର୍ବାଚନ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟର ବିକାଶ ସମ୍ଭବ ହୋଇପାରିଛି ବୋଲି କହିବା ସହ ବିଧାୟକ ଶ୍ରୀ ମହାରଥୀଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଅନ୍ୟ ସହକର୍ମୀଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଧାୟକ ଜୁନିୟର ମହାରଥୀ ସୁକାନ୍ତିଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ବାସନ୍ତୀ ସାହୁ, ଯୁବ ବିଜେଡି ନେତା ନାରାୟଣ ସ୍ବାଇଁ, ଅଟଳ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ବିଜୟ କରିବା ପାଇଁ ପ୍ରଚାର ମଙ୍ଗ ଧରିବା ସହ ଘରେ ଘରେ ଶଙ୍ଖ ଧ୍ୱନୀ ପହଞ୍ଚାଇବେ ବୋଲି ସୁକାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Prev Post