centurian jitm

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳଙ୍କ ଯୋଗଦାନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଉକ୍ତ ସମାରୋହରେ ଯୋଗ ଦେଇଥିଲେ । ପ୍ରଥମେ ସେ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ । ସ୍ବାଗତ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ମହାମହିମ ରାଜ୍ୟପାଳ ରାମାୟଣ, ମହାଭାରତରୁ ଅନେକ ଶିକ୍ଷଣୀୟ, ଉପାଦେୟ କଥା ଉପସ୍ଥିତ ଛାତ୍ରୀଙ୍କୁ କହିଥିଲେ । ଭାରତର ଝିଅ ଦୁନିଆଁର ସବୁକିଛି କରିପାରିବ ବୋଲି ସେ କହିବା ସହିତ ‘ହମ୍‌ ଭାରତ ମାତା କି ବେଟି ହେ ହମ୍‌ କିସି କୋ ନହିଁ ଡରେଁଙ୍ଗେ, ହମ ସବ କୁଛ କରେଁଙ୍ଗେ’ ବୋଲି କହିଥିଲେ । ଏହି ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃ ନିକେତନର ବର୍ଷିଆନ ସମାଜସେବୀ ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ, ଅନ୍ୟତମ ସମ୍ମାନିତ ଅତିଥି ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଦୀପ କୁମାର ପୁରୋହିତ, ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ସମିତି ସଭ୍ୟା ଶ୍ରୀମତୀ ନିରୁପମା ନାଗଙ୍କ ଉପସ୍ଥିତରେ ବିଦ୍ୟାଳୟର ଛାତ୍ରୀମାନେ ମହାମହିମ ରାଜ୍ୟପାଳଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ମହାମହିମ ରାଜ୍ୟପାଳ ଗଣେଶୀଲାଲ ତାଙ୍କ ଚିରାଚରିତ ବକ୍ତବ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ଭାବିକାମାନଙ୍କୁ ମୁଗ୍ଧ କରି ଦେଇଥିଲେ । ସେ ଜୀବନର ପ୍ରତିଟି ବନ୍ଧୁ ଉପରେ ସାମ୍ୟକ ଚିନ୍ତାଧାରା ସହିତ ପ୍ରେମର ନିବିଡ ସମ୍ପର୍କ ଉପରେ ଗୁରୁତ୍ୱ ଦେବା ସହ ଏତେ ମାତ୍ରାରେ ଜଗନ୍ନାଥ ମହାପ୍ରଭୁ, ପିତାମାତାଙ୍କୁ ସମ୍ମାନ, ଶିକ୍ଷାର ମୌଳିକ ଗୁରୁତ୍ବ ଉପରେ ବିସ୍ତୃତ ମତବ୍ୟକ୍ତ କରିଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥିଲେ । ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଦୀପ କୁମାର ପୁରୋହିତ ତାଙ୍କର ବକ୍ତବ୍ୟରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଗଠନ ସହିତ ଗନ୍ଧମାର୍ଦ୍ଦନ ସ୍ମୃତି ଉଦ୍ଦେଶ୍ୟରେ ବିଶେଷ ବକ୍ତବ୍ୟ ରଖିଥିଲେ । ଏହାପରେ “ଯମୁନା” ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ମହାମହିମ ରାଜ୍ୟପାଳଙ୍କୁ ଦେଖିବା ପାଇଁ ଅଞ୍ଚଳର ଲୋକମାନଙ୍କର ଆଗ୍ରହ ଦ୍ବିଗୁଣିତ ହୋଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ସାରିଲା ପରେ ମହାମହିମ ରାଜ୍ୟପାଳ ବିଦ୍ୟାଳୟରୁ ବିଦାୟ ନେଇଥିଲେ ।

ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ବିଦ୍ୟାଳୟର ବିବରଣୀ ପାଠ ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ସଙ୍ଗୀତା ସାହୁ ସଭା ପରିଚାଳନା କରିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅନିମା ରାଉତ । ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିବା ବେଳେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦୀପ ପୁରୋହିତ, ଡାକ୍ତର ରାମକୃଷ୍ଣ ପୁରୋହିତ, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ରନାଥ ସାହୁ, ଧବଳେଶ୍ବର ସାହୁ, ମମତା ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ହୋଇଥିବାରୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା ।

Leave A Reply

Your email address will not be published.