ସେକ୍ଟର ୬ ହାଇସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ଅତି ଉତ୍ସାହ ଓ ଉଦ୍ଦୀପନାରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ପାଳିତ ହୋଇଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପିଲାମାନଙ୍କ ପାଇଁ ଯୋଗ ଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଆମ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଅଲିମ୍ପିକ ଭେଲୁ ଏଜୁକେସନ୍‌ ପ୍ରୋଗ୍ରାମ (ଓଭିଇପି) ଉପରେ ଉଦ୍‌ବୋଧନ ଦେବା ସହିତ ତା’ର ତିନୋଟି ମୁଖ୍ୟ ମୂଲ୍ୟବୋଧ ଯଥା ସମ୍ମାନ, ଉତ୍କର୍ଷ ଏବଂ ବନ୍ଧୁତା ଉପରେ ସବିଶେଷ ଆଲୋଚନା କରିଥିଲେ । ଏହାପରେ ବିଦ୍ୟାଳୟ ଖେଳପଡ଼ିଆରେ ଖେଳ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସଙ୍କ ଦ୍ୱାରା ଏକ ମନୋଜ୍ଞ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ଏତଦ୍‌ ବ୍ୟତୀତ ଜାତୀୟ ଭଲିବଲ ତଥା ଏଥେଲେଟିକ ରେଫେରୀ ସସ୍ମିତା ଦାସ ଏବଂ ଜାତୀୟ ସାଇକେଲ ଚାଳକ ତଥା ରେଫେରୀ ଦେବଦତ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେମାନଙ୍କର ଅଭିବ୍ୟକ୍ତି ମାଧ୍ୟମରେ ପିଲାଙ୍କ ଭିତରେ ଖେଳପ୍ରତି ଆଗ୍ରହ ସୃଷ୍ଟି କରାଇବା ସହିତ ନିଜର ସ୍ୱାସ୍ଥ୍ୟପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଡ୍ରଇଂ ପ୍ରତିଯୋଗିତା କାରାଯାଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.