ମୟୁରଭଞ୍ଜ,(ଦେବସ୍ମିତ ଚୌଧୁରୀ) : ମାନଗୋବିନ୍ଦପୁର ଓ ଶାଳଗାଁ ପଂଚାୟତ ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ସହଯୋଗରେ ତଥା, ବଡ଼ସାହି ବ୍ଲକ ପ୍ରଶାସନ ଦ୍ୱାରା ବିପର୍ଯ୍ୟୟ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ କର୍ମଶାଳା ମାନଗୋବିନ୍ଦପୁର ସରପଞ୍ଚ କୁନି ସିଂ ଓ ଶାଳଗାଁ ସମିତି ସଭ୍ୟ ବିଶମ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୫-୧୬ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିପିଡିଓ ଅବିନାଶ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି ଯୋଗ ଦେଇ ବିପର୍ଯ୍ୟୟ ସମୟରେ ଅସୁରକ୍ଷିତ ଗୋଷ୍ଠୀ ସମୂହ ଯଥା ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରୀ ବାଳିକା, ଶିଶୁ, ବୟସ୍କ ବ୍ୟକ୍ତି, ବିକଳାଙ୍ଗ, ତୃତୀୟ ଲିଙ୍ଗ ଆଦିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଉତ୍ତମ ସେବା ତଥା ସୁରକ୍ଷିତ ପରିବେଶ ଯୋଗାଇ ଦିଆ ଯାଇପାରିବ ଏବଂ ଶିଶୁ ଅଧିକାର, ମୌଳିକ ଅଧିକାରର ସୁରକ୍ଷା, ସମାନତା ଓ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା, ସମସ୍ତଙ୍କୁ ନ୍ୟାୟ ପ୍ରଦାନ ସହିତ ଲିଙ୍ଗ ଭିତ୍ତିକ ହିଂସା , ବାଲ୍ୟ ବିବାହ, ମହିଳା ଓ ଶିଶୁ ଚାଲାଣ ଆଦି ଦୂର କରି ଏକ ସୁସ୍ଥ, ସଂଗଠିତ ଓ ସୁରକ୍ଷିତ ସମାଜ ଗଠନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମାଜରେ ଦୁର୍ବଳ ଗୋଷ୍ଠୀଙ୍କୁ ସଶକ୍ତ କରାଯିବା, ମହିଳା ନେତୃତ୍ୱ ପ୍ରତି ଧ୍ୟାନ ଦେବା, ଯୋଜନା ପ୍ରସ୍ତୁତି ଓ ତାର ସଫଳ ରୂପାୟନ ସହିତ ସମସ୍ତଙ୍କର ସହଯୋଗରେ ଏକ ବିପର୍ଯ୍ୟୟ ସହନଶୀଳ ସମାଜ ଗଠନ କରାଯାଇ ପାରିବ ତାହା ଏହି ପ୍ରୋଗ୍ରାମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମବିକେ, ସିଆରପି, ଅଙ୍ଗନ ୱାଡି, ଆଶା କର୍ମୀ, ପି ଆର ଆଇ ମେମ୍ବର, ଶିକ୍ଷକ ଓ ପଂଚାୟତ ପ୍ରତିନିଧି ସମୂହ ଯୋଗ ଦେଇଥିଲେ । ଓସଡ଼ମା ଗୋଷ୍ଠୀ ସ୍ତରୀୟ ମାଷ୍ଟର ଟ୍ରେନର ଜୁଲିମଣି ବେହେରା, ମାନସୀ ମିଶ୍ର, କବିତା ଘୋଡେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବଡ଼ସାହି ବ୍ଲକର ନୋଡାଲ ଏନଜି ଓ ‘ ସଂକଳ୍ପ’ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ଉପସ୍ଥିତ ରହି ଆଗାମୀ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମାନଗୋବିନ୍ଦପୁର ଓ ଶାଳଗାଁ ପଂଚାୟତ ନିର୍ବାହୀ ଅଧିକାରୀ ମୀନାରାଣୀ ମହାନ୍ତି ଓ ଦୀପକ କୁମାର ମହାକୁଡ଼ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଶେଷରେ ଫୋର୍ଡ ର ସନ୍ତୋଷ କୁମାର ଖଣ୍ଡା ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post