ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

  • ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  • ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର : ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପ୍ରଥମ ସମନ୍ୱୟ ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁର୍ଗାଦତ୍ତ ଦାସ ଉପସ୍ଥିତ ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଓ ତତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ବିଗତ ତିନି ବର୍ଷ ଧରି ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଆମ ଜିଲ୍ଲାରେ ୩୯. ୪% ପୁରୁଷ ଓ ୧୭. ୯% ମହିଳା ତମାଖୁ ସେବନରକୁ ଅଭ୍ୟାସରେ ରହିଥିବା ଉଲ୍ଲେଖ କରାଯାଇଛି । ତମାଖୁ ସେବନ ବ୍ୟକ୍ତି ତଥା ସମାଜ ପାଇଁ ନିଶ୍ଚିତ ଭାବେ ମାରାତ୍ମକ ଅଭ୍ୟାସ ହେଇଥିବା ବେଳେ ଏହା ଏକା ସାଙ୍ଗରେ ଧନ, ଜନ ଓ ଜୀବନ ପାଇଁ ବିପଦକୁ ଡାକିଆଣିଥାଏ । ଏଣୁ ଜିଲ୍ଲାରେ ଏହାର ଉଚିତ୍‌ ମୁକାବିଳା ତଥା ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ତରଫରୁ ବିଶେଷ ଯତ୍ନବାନ ହେବାକୁ ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହାର ଆବଶ୍ୟକ ନିୟନ୍ତ୍ରଣ ନିମନ୍ତେ ତୃଣମୂଳସ୍ତରରେ ତଥା ଚିହ୍ନଟ ସମ୍ବେଦନଶିଳ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର ସହ ସବୁବର୍ଗରେ ସଚେତନତା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆବଶ୍ୟକ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତି ଓ ରୂପରେଖର ପୂର୍ଣ୍ଣ ତଥ୍ୟ ଜିଲ୍ଲାସ୍ତରକୁ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି । ଏତଦ ବ୍ୟତୀତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜିଲ୍ଲା ଶିକ୍ଷା ବିଭାଗ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଶିକ୍ଷନୁଷ୍ଠାନ ଗୁଡିକରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ତମାଖୁ ରାକ୍ଷସ ଯେପରି ଗ୍ରାସନ କରେ ସେଥିପ୍ରତି ବିଶେଷ ଯୋଜନା ପ୍ରସ୍ତୁତ ସହ ସଚେତନତା କରିବା ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟସ୍ଥଳୀ ଗୁଡିକରେ ସମ୍ପୃକ୍ତ ବିଭାଗ ଦ୍ୱାରା ଆବଶ୍ୟକ ସଚେତନତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ତଥ୍ୟ ଅନୁଯାଇ ଜିଲ୍ଲାର ତରଭା ଓ ଡୁଙ୍ଗୁରିପାଲି ବ୍ଲକର ଆଭ୍ୟାନ୍ତରୀଣ ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ରହିଥିବାରୁ ଅଞ୍ଚଳ, ଶିକ୍ଷା ଅନୁଷ୍ଠାନ ଓ ସଂଲଗ୍ନ ପରିସରକୁ ଚି଼ହ୍ନଟ ପୂର୍ବକ ତମାଖୁ ସେବନ ନିୟନ୍ତ୍ରଣ ନିମନ୍ତେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ ପୂର୍ବକ ଦୋକାନ ବଜାର ଅଚାନକ ଯାଞ୍ଚ କରି ଫାଇନ ଆଦାୟ ସହ ତାଗିଦ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ଏପରିକି ତମାଖୁ ସେବନର ଅପକାରିତା ଉପରେ ଗ୍ରାମ ପଂଚାୟତ ସ୍ତରରେ ଗ୍ରାମ ସଭା, ପଂଚାୟତ ବୈଠକ, ପଂଚାୟତ ସମିତି ବୈଠକ, ସହ ଅନ୍ୟାନ୍ୟ ସାଧାରଣ ବୈଠକରେ ଜନ ସମାଜରେ ଏହାର କୁପ୍ରଭାବ ସହିତ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଚେତନତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବୈଠକରେ ଅଣ ସଂକ୍ରମକ ରୋଗ ପରିଚାଳିକା ଗୀତା ମେହେର ତମାଖୁ ସେବନର ଭୟବହତା ଓ ଏହାର ନିୟନ୍ତ୍ରଣ ଓ ସେବନରୁ ନିବୃତ ନିମନ୍ତେ ବିଭାଗୀୟ କାର୍ଯ୍ୟକ୍ରମ ଓ ପ୍ରବଧାନ ଉପରେ ପି. ପି. ଟି. ଜରିଆରେ ତଥ୍ୟ ଉପସ୍ଥାପନ କରିଥିଲେ । ୨୦୨୩-୨୪ ବର୍ଷରେ ଜିଲ୍ଲାର ୪୦ଟି ଉଚ୍ଚ ବିଦ୍ୟାଳୟ ଓ ୬ଟି ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ସମସ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ଚିକିତ୍ସାଳୟରେ ତମାଖୁ ବିରତ କେନ୍ଦ୍ର ସହ ତମାଖୁ ନିବାରଣ ପାଇଁ ନିକୋଟିନ ଗମ ଓ ପରାମର୍ଶ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ତମାଖୁ ସେବନକାରୀ ଏହାର ସୁଯୋଗ ନେବାକୁ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅନୁରୋଧ କରିଛନ୍ତି । ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋଜ ଅଦାବର, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ଡି. ପି. ଏମ୍‌, ବିଶ୍ୱମ୍ବର ବେହେରା ତଥା ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.