
ନୂଆପଡା, (କେପିଏନ୍ଏସ୍) : ଜିଲ୍ଲାରେ ମହୁଲ ଉଚିତ୍ ମୂଲ୍ୟରେ କ୍ରୟ ବିକ୍ରୟ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ବିଭାଗ କର୍ମଚାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲାର ମହୁଲ କ୍ରେତା ଓ ଗୋଟାଳି ତଥା ବିକ୍ରେତାମାନେ ଯୋଗଦେଇଥିଲେ । ବହୁ ଦିନରୁ ଅଭିଯୋଗ ହେଉଥିଲା ଏବଂ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ଯେ ଜିଲ୍ଲାର ଗରିବ ମହୁଲ ଗୋଟାଳି ତଥା ଆଦିବାସୀମାନେ ବହୁ ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କରୁଥିଲେ ମଧ୍ୟ ତାର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି । ବେପାରୀ ଏବଂ ମଧ୍ୟସ୍ଥିମାନେ ବହୁ କମ୍ ଦାମରେ ଏହାକୁ କିଣି ଅନେକ ଲାଭ କରୁଥିବା ବେଳେ ଗରିବ ଗୋଟାଳିମାନେ ଏହାର ପରିଶ୍ରମ ମୂଲ୍ୟ ବି ପାଉ ନାହାଁନ୍ତି । ଏହି ସମସ୍ୟାକୁ ଜିଲ୍ଲାପାଳ ଗମ୍ଭୀର ଭାବରେ ଗ୍ରହଣ କରି ଏହି ବୈଠକ ଆୟୋଜନ କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଗରିବ ଚାଷୀ ଆଦିବାସୀ ବହୁ କଷ୍ଟରେ ସମଗ୍ର ପରିବାର ନିୟୋଜିତ ହୋଇ ମହୁଲ ସଂଗ୍ରହ କରୁଛନ୍ତି । କେତେବେଳେ ସେମାନେ ଭାଲୁର ଶିକାର ହେଉଛନ୍ତି ତ କେତେବେଳେ ଅଂଶୁଘାତର । ସେମାନେ ଏହାର ଉଚିତ୍ ମୂଲ୍ୟ ପାଇବା ଅତ୍ୟନ୍ତ ଆବଶ୍ୟକ । ବେପାରୀମାନେ କମ୍ ଦାମରେ ଏହାକୁ କିଣି ଲାଭ ପାଉଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ବଦନାମ ହେଉଛି । ଏଭଳି ଆଉ ଚଳିବ ନାହିଁ । ମହୁଲ ଫୁଲର କିଗ୍ରା ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୭ ଟଙ୍କା ରହିବ । ଏଥିରୁ କମ୍ ମୂଲ୍ୟରେ ବେପାରୀ କିଣିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ । ପ୍ରତିଦିନ ମହୁଲ କ୍ରୟ ବିକ୍ରୟ ସମ୍ବନ୍ଧୀୟ ରିପୋର୍ଟ ଜିଲ୍ଲାପାଳଙ୍କୁ ଅବକାରୀ ବିଭାଗ ପ୍ରଦାନ କରିବେ । ଜିଲ୍ଲାପାଳଙ୍କ ଏହି ସମୟୋଚିତ ପଦକ୍ଷେପ ଜିଲ୍ଲାର ହଜାର ହଜାର ମହୁଲ ଗୋଟାଳି ମାନଙ୍କୁ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଆଶା କରାଯାଉଛି ।