ls

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ଗଜା ମରୁଡି ଘୋଷଣା କର ବୋଲି ଗର୍ଜିଲେ ସାଲୁଜା

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଏଯାଏଁ ମାତ୍ର ୫୦ ପ୍ରତିଶତ ବୃଷ୍ଟିପାତ ହୋଇଛି । ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗଜା ମରୁଡିର ଶିକାର ହୋଇଛନ୍ତି । ତେଣୁ ସରକାର ସଂପୂର୍ଣ୍ଣ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ଗଜା ମରୁଡି ଘୋଷଣା କରିବା ସହ ଚଷୀମାନଙ୍କୁ ସରକାରୀ ସହାୟତା ଯୋଗଇ ଦିଅନ୍ତୁ ବୋଲି ଆଜି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶତାଧିକ ଚାଷୀ ଓ କଂଗ୍ରେସ କମୀଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ମୁତାବକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ବ୍ଲକର ୧୯ ଗୋଟି ପଞ୍ଚାୟତ, ବଙ୍ଗୋମୁଣ୍ଡା ବ୍ଲକର ୨୬ ଗୋଟି ପଞ୍ଚାୟତ, ମୁରିବାହାଲ ବ୍ଲକର ୨୨ ଗୋଟି ପଞ୍ଚାୟତ ସମେତ ସମୁଦାୟ ୬୭ ଗୋଟି ପଞ୍ଚାୟତ ଓ କଣ୍ଟାବାଞ୍ଜି ଏନ୍‌ଏସିର ୧୬ ଗୋଟି ୱାର୍ଡରେ ଗଜା ମରୁଡି ସ୍ଥିତି ଦେଖା ଦେଇଛି । ଏହି ଅଂଚଳକୁ ଓଡିଶା ରିଲିଫ କୋଡର ଧାରା ୨୯ ଅନୁଯାୟୀ ସଂପୂର୍ଣ୍ଣ ଗଜା ମରୁଡି ଘୋଷଣା କରିବା, ଅଂଚଳର ସମସ୍ତ ଚାଷୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟଙ୍କ ପକ୍ଷରୁ ଏକର ପ୍ରତି ୪୦ ହଜାର ଲେଖାଏଁ ଇନ୍‌ପୁଟ ସବସିଡି ପ୍ରଦାନ କରିବା, ସମସ୍ତ ଚାଷୀଙ୍କୁ ୧୦୦ ପ୍ରତିଶତ ବୀଢ଼ା ରାଶି ପ୍ରଦାନ କରିବା, ଚାଷୀମାନଙ୍କୁ ଗରିବ ରୋଜଗାର କାର୍ଡ ଓ ପ୍ରାଣୀମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବା, ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ଯୋଜନାରେ ଗରିବ ଜନତାଙ୍କୁ ରାସନ କାର୍ଡ ଯୋଗାଇ ଦେବା, ଅଂଚଳରୁ ଦାଦନ ଜନିତ ପଳାୟନ ରୋକିବା ପାଇଁ ପର୍ଯ୍ୟାପ୍ତ ମନରେଗା କାମ ଓ ବନ୍ଧ ଖନନ ବ୍ୟବସ୍ଥା କରିବା, ଜିଲ୍ଲାର ସମସ୍ତ ମନରେଗା ଶ୍ରମିକଙ୍କୁ ବକେୟା ୯୩ ଟଙ୍କା ପ୍ରଦାନ କରିବା ସହିତ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ଓ ୩୧୭ ଗ୍ରାମ ପଞ୍ଚାୟତକୁ ମରୁଡି ଘୋଷଣା କରିବାକୁ ଦାବୀ କରାଯାଇଛି । ଜିଲ୍ଲାପାଳ ଉକ୍ତ ଦାବୀପତ୍ର ଗ୍ରହଣ କରିବା ସହ ଜିଲ୍ଲାରେ ମରୁଡି ପ୍ରପିଡିତ ଅଂଚଳରେ ଯଥା ଶୀଘ୍ର ବିକଳ୍ପ ସରକାରୀ ସହାୟତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାଲୁଜାଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ ସଭାପତି ମନୀଷ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଗୁରୁ ଚରଣ ବେହେରା, ଗିରିଧାରୀ ସାହୁ, ପ୍ରଦିପ ମିଶ୍ର ଓ ବାଳକୃଷ୍ଣ ସେଲମାଙ୍କ ସମେତ ଶତାଧିକ ଚାଷୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.