ଗଞ୍ଜାମ ବଜାରରେ ସବୁଜ ବାଣ ବିକ୍ରି ହେବ : ପରମ୍ପରା ବଜାୟ ଲାଗି ଦୀପାବଳି ପାଳନ ସୁରୁଖୁରୁରେ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ଗୋଟିଏ ଦିନ ପରେ ସର୍ବତ୍ର ପାଳିତ ହେବ ଦୀପାବଳି । ଆଲୋକର ପର୍ବ ଦୀପାବଳୀ ପର୍ବକୁ ପାଳନ କରିବା ପାଇଁ ଲୋକଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ଆମ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସଂନ୍ଧ୍ୟାରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ଜଣକୁ ମଧ୍ୟ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନି । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିଲାଗି କୌଣସି ସବୁଜ ବାଣ ବିକ୍ରି ପାଇଁ ଡିଲର ଗଂଜାମ ଜିଲା ପ୍ରଶାସନଠାରୁ ଲାଇସେନ୍ସ ନେଇ ନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଞ୍ଚ ଦେଖାଇବା ଜରୁରୀ ରହିଛି । ଜିଲ୍ଲାର ତହସିଲଦାରମାନେ ଏହି ଷ୍ଟକ୍ ଯାଞ୍ଚ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ତିନୋଟି ସବ୍‌ଡିଭିଜନର ସମସ୍ତ ଉପଜିଲ୍ଲାପାଳମାନେ ଏହାକୁ ମନିଟରିଂ କରିବେ । ଉପଜିଲ୍ଲାପାଳମାନେ ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୪ ତାରିଖ ଦିନ କେବଳ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି । ଅନ୍ୟ ଦିନ କିମ୍ବା ଅନ୍ୟ ସମୟରେ ବାଣ ଫୁଟାଯାଇ ପାରିବନି । ଏହାକୁ ଧ୍ୟାନ ଦେବାକୁ ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ । କେଉଁଠି ମଧ୍ୟ ବିନା ଲାଇସେନ୍ସରେ ବାଣ ବିକ୍ରି ହୋଇପାରିବ ନି ବୋଲି ଚେତାବନୀ ସ୍ୱରୂପ ପ୍ରମୁଖ ଅଧିକାରୀମାନଙ୍କୁ ଜିଲ୍ଲାପାଳ କହିଛନ୍ତି । କେବଳ ଲାଇସେନ୍ସ ନେଇ ସବୁଜ ବାଣ ବିକ୍ରି ହୋଇପାରିବ ବୋଲି ବୈଠକରେ କୁହାଯାଇଛି । କେଉଁଠି ବିନା ଲାଇସେନ୍ସ କିମ୍ବା ଅନ୍ୟ ବାଣ ବିକ୍ରି କଲେ ଷ୍ଟକ୍ ସିଲ୍ କରାଯିବ । ଏହାର ଖିଲାପ କଲେ ବିପର୍ଯ୍ୟୟ ଆକ୍ଟରେ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର, ସହରାଞ୍ଚଳର ଏନ୍‌ଏସି ନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସିମାନଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ଏହାର ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲାପାଳ(ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.