
ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ ଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । ଛାତ୍ର ଜୀବନରେ ଭବିଷ୍ୟତ ସ୍ୱପ୍ନ ଦେଖିବା ସ୍ଵାଭାବିକ କିନ୍ତୁ ସ୍ୱପ୍ନକୁ ସାକାର କରିବା ବହୁ କଷ୍ଟକର ହୋଇପଡିଛି । ଭବିଷ୍ୟତ ତଥା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବହୁ ସାଧନର ଆବଶ୍ୟକତା ରହିଛି । କେବେ କେବେ ସାଧନ ତଥା ସୁଯୋଗର ଅଭାବ ତ କେତେ ବେଳେ ସୂଚନାର ଅଭାବ ହେତୁ ଛାତ୍ରଛାତ୍ରୀମାନେ ଲକ୍ଷ୍ୟସ୍ଥଳରୁ ଦିଗ ହୀନ ହୋଇପଡନ୍ତି । ଫଳରେ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବହୁ ମେଧାବୀ ରହିଥିଲେ ମଧ୍ୟ ଅନେକ ସମୟରେ ସଠିକ୍ ସୂଚନାର ଅଭାବ ଫଳରେ ଉପଲବ୍ଧ ଥିବା ସୁବିଧା ସୁଯୋଗର ସଦୁପଯୋଗ କରିପାରନ୍ତି ନାହିଁ । ଫଳରେ ନିଜର ଭବିଷ୍ୟତ ଲକ୍ଷ୍ୟରେ ବହୁ ବାଧାବିଘ୍ନର ସାମ୍ନା କରନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ସୂଚନା ଓ ଉପଲବ୍ଧ ସୁବିଧା ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଗଞ୍ଜାମ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ପରିବେଶ ଓ ବ୍ୟକ୍ତିତ୍ଵର ବିକାଶ ନିମନ୍ତେ ଅହରହ ପ୍ରୟାସ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ପକ୍ଷରୁ ଏକ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ ୱେବିନାରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଯୁବ ସମ୍ମାନ ସମ୍ବର୍ଦ୍ଧିତ ତଥା ଯୁବ ସାମାଜିକ କର୍ମୀ ବିକ୍ରମ କେଶରୀ ନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜ ଛାତ୍ର ଜୀବନରେ କିପରି ଭାବେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ସେଥି ନିମନ୍ତେ ଉପଲବ୍ଧ ବିଭିନ୍ନ ପାଠ୍ୟକ୍ରମ, ସରକାରୀ ସୁବିଧା ଓ ଚୟନ ପ୍ରକ୍ରିୟା ବିଷୟରେ ଅତି ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଆଲୋଚନାରେ ଶ୍ରୀ ନାୟକ ଜୀବନରେ ସଫଳ ହେବା ପାଇଁ ସମସ୍ତଙ୍କୁ ସଠିକ ବୃତ୍ତିଗତ ନିଷ୍ପତ୍ତି ନେବାର ଆବଶ୍ୟକତା ଅଛି ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଉଦାହରଣ ସ୍ୱରୂପ ଯଦି ବିରାଟ କୋହଲିଙ୍କୁ କ୍ରିକେଟ ନଖେଳି ଡାକ୍ତର ହେବା ପାଇଁ ତାଙ୍କ ଅଭିଭାବକ ନିଷ୍ପତ୍ତି ନେଇଥାନ୍ତେ କିମ୍ବା ଡକ୍ଟର ଏପିଜେ ଅବଦୁଲ କାଲାମ ବିଜ୍ଞାନ ପାଠ ନପଢ଼ି ଫୁଟବଲ ଖେଳିବା ନିଷ୍ପତ୍ତି ନେଇଥାନ୍ତେ ତେବେ ଏପରି ସଫଳ ବ୍ୟକ୍ତିତ୍ତ୍ୱ ହୋଇପାରି ନଥାନ୍ତେ ବୋଲି ପ୍ରକାଶ କରିଥିଲେ । ଅର୍ଥାତ ଯିଏ ଯେଉଁ ପ୍ରତିଭାର ଅଧିକାରୀ, ସେ ଯଦି ସେହି ପ୍ରତିଭା ବା ଆଗ୍ରହ ଆଧାରରେ ନିଜର ବୃତ୍ତିଗତ ନିଷ୍ପତ୍ତି ନେଇ ପାରିବେ ତେବେ ସେ ନିଶ୍ଚୟ ସଫଳ ହୋଇପାରିବେ । ବୃତ୍ତିଗତ ନିଷ୍ପତ୍ତି ନେବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ଦଶମ ଶ୍ରେଣୀ । ଏହି ସମୟରେ ଯଦି ପିଲାମାନଙ୍କୁ ସଠିକ ତଥ୍ୟ ଓ ସୂଚନା ମିଳିପାରିବ ତେବେ ସେମାନେ ନିଜର ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ପି ଝରଣା ରେଡ୍ଡୀ, ଡି ସୋନାଲି ପ୍ରଧାନ, ଶୁଭମ୍ ଗୌଡ, ସଂପ୍ରିତା ସେଠୀ, ବି ଦେବାଶିଷ ରେଡ୍ଡୀ, କାହ୍ନା ଗୌଡ, ଶୁଭମ୍ ଗୌଡ, ଅର୍ଚ୍ଚନା ଗୌଡ, ରଞ୍ଜନ କୁମାର ନାହାକ, ଲିଜା ନାୟକ, ଶ୍ରାବଣୀରାଣୀ ମିଶ୍ର, ସ୍ନିଗଧା ବେହେରା, ଶ୍ରୀନିବାସ ରଣା, ସୁନିଲ ରାଉଳ ଓ ଶିକ୍ଷାବିତ୍ ପୁଷ୍ପଲତା ମାଝୀ, ପୂର୍ଣ୍ଣଚନ୍ଦ୍ର ଗୌଡ, କୈଳାସ ସେଠୀ, ଦୀପକ ସାହୁଙ୍କ ସମେତ ନୀଳକଣ୍ଠେଶ୍ଵର ଶିକ୍ଷା କେନ୍ଦ୍ରର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ତଥା ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି. ଦେବହରି ରେଡି ସଂଯୋଜନା କରି କାର୍ଯ୍ୟକ୍ରମ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଓ ଶେଷରେ ଶିକ୍ଷାବିତ୍ ରବୀନ୍ଦ୍ର ଗୌଡ ଧନ୍ୟବାଦ୍ ଅର୍ପଣ କରିଥିଲେ ।