
କଂଟାବାଂଜି, (ଗୁରୁଦୟାଲ ହଂସ) : ଅର୍ଜୁନୀ ନଦୀ କୂଳରେ ବଡ ଭାଇର ଜୀବନ ନେଲା ମଝିଆ ଭାଇ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କନ୍ଦେଇ ପଂଚାୟତର କନ୍ଦେଇ ଗାଁରେ । ଘଟଣାସ୍ଥଳର ଅନୁସଂଧାନରୁ ଜଣାଯାଏ ଯେ, ଫୁଲ ପ୍ରସାଦ ବାଗ(୩୫) ପିତା- ଚେରୁ ବାଗ ମଂଗଲବାର ସକାଳୁ ଅର୍ଜୁନୀ ନଦୀ କୂଲରେ ଥିବା ନିଜ କପା କିଆରିକୁ ଦେଖି ସାରି ଶୌଚ ପାଇଁ ନଦୀକୁ ଆସିଥିଲେ । ଏହି ସମୟରେ ତାଙ୍କ ମଝିଆ ଭାଇ ତିଲକ ବାଗଙ୍କ କୌଣସି କାରଣରୁ ବଡ ଭାଇ ସହ ବଚସା ହୋଇ ହଠାତ୍ ତାଙ୍କୁ ମାଡପିଟ କରିବା ସହିତ ନଦୀକୂଳରେ ଥିବା ପଥରରେ ମୁଣ୍ଡକୁ ଛେଚି ଜୀବନରୁ ମାରି ଦେଇ ନଦୀରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟିବା ପରେ ତାଙ୍କ ବାପା ଚେରୁ ବାଗ ଘଟଣାସ୍ଥଳକୁ ଆସି ଦେଖିବା ବେଳକୁ ଫୁଲ ପ୍ରସାଦଙ୍କ ସଂପୂର୍ଣ୍ଣ ଭାବେ ମୃତ୍ୟୁ ହୋଇ ସାରିଥିଲା । ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ତିଲକ ବାଗ ୨୦୧୯ ମସିହାରେ ନିଜ ଗାଁର କର୍ଣ୍ଣ ବାଗ ସହ ମହାରାଷ୍ଟ୍ରର ନାଗପୁରକୁ କାମ କରି ଯାଇଥିଲେ । ସେଠାରେ ତିଲକ ଓ କର୍ଣ୍ଣଙ୍କ ଏପରି କୌଣସି କାରଣରୁ ବଚସା ହୋଇଥିବାରୁ ରାତିରେ କର୍ଣ୍ଣଙ୍କ ତଂଟି ଚିପି ତିଲକ ହତ୍ୟା କରିଥିଲେ । ନାଗପୁର ପୋଲିସ ତିଲକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇବା ମଧ୍ୟରେ ଏକ ସପ୍ତାହ ହେବ ଜେଲ ଫେରନ୍ତା ତିଲକ ନିଜ ବଡ ଭାଇକୁ ହତ୍ୟା କରିଥିବା ପରିବାର ଓ ଗ୍ରାମବାସୀ କହିଛନ୍ତି । ତେବେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ଅନୁସଂଧାନ ଜାରି ରଖିଥିବା ବେଳେ ଘଟଣାର ସତ୍ୟାସତ୍ୟ ଜଣାପଡିନାହିଁ ।