ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ପରେ ସେ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ପଦ୍ମପୁର ଉପଖଣ୍ତ ବୁଡେନ ଥାନା ବରଦାପାଲି ଅଞ୍ଚଳରେ । ପୋଲିସ ସୂଚନା ଅନୁସାରେ, ବରଦାପାଲି ଗ୍ରାମର ରାଜକୁମାର ମାଝୀ(୨୩) ଓ ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ବିବାହ ଲାଗି ଝିଅର ବୟସ ପ୍ରତିବନ୍ଧକ ହେବାରୁ ପ୍ରେମୀ ଯୁଗଳ ଗତ ୧୬ ତାରିଖରେ କୁଆଡେ ଫେରାର ହୋଇଯାଇଥିଲେ । ଅନ୍ୟପକ୍ଷେ ଝିଅକୁ ଅପହରଣ କରାଯାଇଥିବା ନେଇ ବାପା ଗତ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରେମୀ ଯୁଗଳ ଅନ୍ୟ ଉପାୟ ନ ପାଇ ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ବରଦାପାଲି ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରେମିକା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । ସେହିପରି ପ୍ରେମିକ ନିଜ ସାର୍ଟକୁ ବେକରେ ବାନ୍ଧି ଗଛ ଡାଳରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ସାର୍ଟ ଛିଣ୍ତି ଯାଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ । ପୋଲିସ ପ୍ରେମିକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଏ ନେଇ ବୁଡେନ ଥାନାରେ ଏକ ମାମଲା (ନଂ.୧୨୫/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ହେମନ୍ତ ରାଓ କହିଛନ୍ତି ।

Leave A Reply

Your email address will not be published.