ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗାଁର ଜଣେ ଚାଷୀ ପାଇଖାନା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସାଂଗକୁ ରାଜସ୍ୱ ବିଭାଗୀୟ ଅଧିକାରୀଙ୍କ ତରଫରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪) । ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ସହ୍ୟ କରି ନ ପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ବନମାଳୀଙ୍କର ୪ ଜଣ ଝିଅ, ଗୋଟେ ପୁଅ ବିବାହ କରି ସାରିଛନ୍ତି । ୫ ଏକର ଜମିରେ ଧାନ ଫସଲ ଭାଗ ଚାଷୀ ହିସାବରେ ଚାଷ କରିଥିଲେ ଏବଂ ନିଜର ୨ ଭରଣ ଜମିରେ ମଧ୍ୟ ଧାନ ଚାଷ କରିଥିଲେ । ସମସ୍ତ ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି । କ୍ଷେତରେ କଟା ହେବା ପରେ ବି ଧାନଗଦା ପାଣିରେ ପଡ଼ି ରହି ଗଜା ହୋଇଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ଅନ୍ୟ ଠାରୁ ଧାର କରଜ କରି ସେ ଚାଷ କରିଥିଲେ ବୋଲି ଖବର ମିଳିଛି । କ୍ଷତି ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ଛତ୍ରପୁର ଏସ୍.ଡି.ପି.ଓ. ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭଦର୍ଶନ ସାହୁ, ଏ.ଆର୍.ଆଇ. ରାମଚନ୍ଦ୍ର ଦଳେଇ, କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇ, ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ତହସିଲଦାର ଶ୍ରୀମତୀ ମହାନ୍ତି ପରିବାର ବର୍ଗଙ୍କୁ ଭେଟି ରେଡକ୍ରସ ତରଫରୁ ନଗଦ ୬୦ ହଜାର ଟଙ୍କା ଏବଂ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ପରିବାର ବର୍ଗଙ୍କୁ ସହାୟତା ବେଳେ ସରପଞ୍ଚ ପ୍ରତିନିଧି ଶିବଶଙ୍କର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ. କିଶୋର ଚନ୍ଦ୍ର ରେଡ୍ଡୀ, ମହେଶ୍ୱର ପ୍ରଧାନ ଏବଂ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଗଞ୍ଜାମ ବିଜେଡ଼ି ଉପ-ସଭାପତି ଶଙ୍କର ପ୍ରସାଦ ଦାଶ ଦୃଢ଼ ଦାବୀ କରିଛନ୍ତି ।