
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ‘ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ ସମ୍ପର୍କିତ ଏକ ବ୍ଲକସ୍ତରୀୟ ବକ୍ତୃତା ଓ ରଚନା ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଓଆଇସି ସୁମିତ କୁମାର ସାହୁ ଓ ଏଏସଆଇ ହିଙ୍ଗୁଳା ଦାସଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ । ଏହି ପ୍ରତିଯୋଗିତାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି,ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର ଓ ଗୁଡିଘାଟ ଉଚ୍ଚ ବିଦ୍ୟାଳୟ ଶିକ୍ଷକ କିଶୋର ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବକ୍ତୃତାରେ ମୁରିବାହାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣମାସୀ ହାତୀ, ବାଙ୍କେଲର ଛାତ୍ର ଦେବେନ୍ଦ୍ର ଦୀପ ଓ ଗୁଡିଘାଟର ଛାତ୍ରୀ ଅମୃତି ରଣା ବିଜେତା ହୋଇଥିଲେ । ସେହିପରି ରଚନାରେ ମାଳିଶିରା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣମୀ ରଣା, ତେନ୍ତୁଳିଖୁଣ୍ଟିର ଛାତ୍ରୀ ସୌମ୍ୟାରାଣୀ ବେହେରା ଓ ହଳଦୀର ଛାତ୍ରୀ ଜେମା ବାଗ ବିଜେତା ହୋଇ ଅତିଥିମାନଙ୍କଠାରୁ ମାନପତ୍ର ସହ ପୁରସ୍କୃତ ହୋଇଥିଲେ । ବିଚାରକ ରୂପେ ଶିକ୍ଷକ କିଶୋର ନାୟକ, ରାଜୀବ ପୁଟେଲ, ପ୍ରକାଶ ମହାନ୍ତି, ପ୍ରମୋଦ କୁମାର ତ୍ରିପାଠୀ, ମୋକ୍ଷଦେବ ନାଗ ଓ ସୁଶାନ୍ତ ବେହେରା ଥିଲେ । ଶିକ୍ଷକ ହେମନ୍ତ ନାଗ ସଭା ପରିଚାଳନା ଓ ଶିକ୍ଷକ ବିକ୍ରମ ପୁରୋହିତ ଧନ୍ୟବାଦ ଦେଇଥିଲେ ।