ପୁରୀ, (କେପିଏନ୍ଏସ୍) : ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ । ୨୪ ଘଣ୍ଟା ନପୂରୁଣୁ ପୁଣି ୨ଟି ଜୀବନ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ବୁଧବାର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇ ବାପା-ପୁଅଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଶ୍ରୀରାମପୁରର ଅରିନ୍ଦମ ଦାସ । ତେବେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ । ଉଭୟ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଏହା ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ୨ ପର୍ଯ୍ୟଟକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ପଶ୍ଚିମବଙ୍ଗରୁ ଆସିଥିବା ରଞ୍ଜନ ଦାସ ଓ ତାଙ୍କ ପୁଅ ରିସବ୍ ଦାସ ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଥିଲା ।