jayashree

ଦୂଷିତ ଜଳ ବ୍ୟବହାର ଯୋଗୁଁ ବ୍ୟାପୁ ଥିଲା ଝାଡ଼ାବାନ୍ତି : ଏବେ ସ୍ଥିତି ନିୟନ୍ତ୍ରଣାଧୀନ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ାରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣାଧୀନ । ସପ୍ତାହକ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଡାକ୍ତରୀ ଦଳ ଏକ କ୍ୟାମ୍ପ କରି ସ୍ଥିତି ଅନୁଧ୍ୟାନ କରିବା ସହ ଝାଡ଼ାବାନ୍ତି ନ ବ୍ୟାପିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ବୁଧବାର ମାତ୍ର ଜଣେ ଆକ୍ରାନ୍ତ ହୋଇଥିଲେ । ଗୁରୁବାର ଜଣେ ବି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ସୂଚନା ଦେଇଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ବିକାଶ ବାରିକ । ଆଗାମୀ କିଛିଦିନ ଡାକ୍ତରୀ ଦଳ ସେହି ଗ୍ରାମରେ ରହି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବରୁ ସଂଗ୍ରହ କରାଯାଇଥିବା ରେକ୍ଟଲ ସ୍ବାବ୍‌ ଏବଂ ଗାଁରୁ ନିଆଯାଇଥିବା ପାଣିର ନମୁନା ରିପୋର୍ଟରେ ଏହା ଇସେରେସିଆ କୋଲାଇ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଦୂଷିତ ଜଳ ବ୍ୟବହାର ଯୋଗୁ ଏପରି ଝାଡ଼ାବାନ୍ତି ବ୍ୟାପିଛି ବୋଲି ସିଡିଏମ୍‌ଓ କାଳିପ୍ରସାଦ ବେହେରା ସୂଚନା ଦେଇଛନ୍ତି । ଗ୍ରାମବାସୀ ସଚେତନ ହୋଇ ଦୂଷିତ ଜଳ ବ୍ୟବହାର ନ କରିବା ସହ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଠିକ୍‌ ଭାବେ ଖାଇଲେ ଅତିଶୀଘ୍ର ଝାଡ଼ାବାନ୍ତି ମୁକ୍ତ ଗ୍ରାମ ହୋଇପାରିବ ବୋଲି ଡାକ୍ତରୀ ଦଳ କହିଛନ୍ତି ।

Leave A Reply

Your email address will not be published.