
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ୨୦୨୨ ପାଇଁ ପଞ୍ଜୀକରଣ ଶେଷ ହେବ । ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ କରାଯାଉଥିବା ଏହି ପରୀକ୍ଷାରେ ଚଳିତଥର ନେଗେଟିଭ୍ ମାର୍କିଂ ରହିବ । ଛାତ୍ରଛାତ୍ରୀ ଇଂରାଜୀ, ହିନ୍ଦୀ, ଗୁଜରାଟୀ ଭାଷା ସହ ଆସାମୀ, ବଙ୍ଗଳା, କନ୍ନଡ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା ଦେଇପାରିବେ । ଚଳିତ ଥର ପ୍ରତି ବିଷୟରେ ଦୁଇଟି ସେକ୍ସନ ରହିବ । ସେକ୍ସନ୍ ‘ଏ’ରେ ୨୦ଟି ମଲ୍ଟିପୁଲ୍ ଚଏସ୍ ବେସ୍ଡ ପ୍ରଶ୍ନପତ୍ର (ଏମ୍ସିକ୍ୟୁ) ଓ ସେକ୍ସନ୍ ‘ବି’ ୧୦ଟି ନ୍ୟୁମେରିକାଲ୍ ପ୍ରଶ୍ନ ରହିବ । ଆସନ୍ତା ୨୧ରୁ ସେସନ୍-୧ ଜେଇଇ ମେନ୍ ଆରମ୍ଭ ହେବ । ଆସନ୍ତା ୨୧, ୨୪, ୨୫, ୨୯ ଏବଂ ମେ ୧ ଓ ୪ ତାରିଖରେ ପରୀକ୍ଷା ହେବ । ଏହା ପୂର୍ବରୁ ଆସନ୍ତା ସପ୍ତାହରେ ପିଲାଙ୍କୁ ଆଡ୍ମିଟ କାର୍ଡ ମିଳିବ । ସେହିପରି ଦ୍ୱିତୀୟ ସେସନ୍ ମେ ୨୪ରୁ ୨୯ ତାରିଖ ଭିତରେ କରାଯିବ । ଏସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ www.nta.ac.in ଓ https://jeemain.nta.ac.in ୱେବସାଇଟ୍ରେ ଦେଖିପାରିବେ ।