centurian jitm

ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ

nschool
  • ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ : ଅତିରିକ୍ତ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପଥରଚେପା ସ୍ଥିତ ଅନ୍ଵେଷା ଛାତ୍ରବାସ ହଲରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ତାଙ୍କର ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସମାଜ ତାଙ୍କ ନିକଟରେ କୃତଜ୍ଞ ରହିବ । ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ଡ଼ଃ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତ୍ତରପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ନିଜ ଅଭିଭାଷଣରେ କହିଥିଲେ ଯେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ଡଃ ଆମ୍ବେଦକର ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି । ବିଶେଷ କରି ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି କହିଥିଲେ । ସେହିପରି ଅନ୍ୟତମ ବକ୍ତା ଭାବେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ସଞ୍ଜୟ ଦୀପ ଆଧୁନିକ ଭାରତରେ ଡ଼ଃ ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନ ପାଇଁ ଡକ୍ଟର ଆମ୍ବେଦକରଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ସମ୍ବିଧାନର ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.