ରାଉରକେଲା, (ସସ୍ମତା ପ୍ରଧାନ) : ରାଉରକେଲା ନୂଆ ବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ କମିଟି ଆନୁକୂଲ୍ୟରେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ମାର୍କେଟର ବାର୍ଷିକୋତ୍ସବ ୨୦୨୩ ମାର୍କେଟ ପରିସରରେ ପାଳିତ ହୋଇଯାଇଛି । କମିଟିର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଜେନାଙ୍କ ଆବାହକତ୍ୱ ଓ ଉପସଭାପତି ମନୋଜ କୁମାର ନନ୍ଦଙ୍କ ପ୍ରାରମ୍ଭିକ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମ ଯୁଗ୍ମ ଆୟୁକ୍ତ ପ୍ରଣବ କୁମାର ଜେନା ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ସମ୍ମାନିତ ଅତିଥି ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବ୍ୟାସକବିଙ୍କ ଏକାଧାରାରେ ଜଣେ କବି, ଔପନ୍ୟାସିକ, ଗାଳ୍ପିକ, ଦାର୍ଶନିକ ତଥା ସମାଜ ସଂସ୍କାରକ ଭାବେ ଅବହିତ କରିଥିଲେ । ଓଡିଆ ଭାଷା ଓ ସଂସ୍କୃତି ବିରୋଧି ଷଡଯନ୍ତ୍ରକୁ ପ୍ରତିହତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ସହ ସରଳ ଓ ସାବଲୀଳ ଭାଷାରେ ଗଳ୍ପ କବିତା ଉପନ୍ୟାସ ଲେଖି ସେ ଓଡିଆ ସାହିତ୍ୟର ଟେକ ରଖିଛନ୍ତି ବୋଲି କହିଥିଲେ ।ଆଧୁନିକ ଓଡିଆ ସାହିତ୍ୟର ଜନକ ଥିଲେ ଫକୀର ମୋହନ ବୋଲି ଅତିଥିମାନେ ମତ ରଖିଥିଲେ । ପ୍ରାରମ୍ଭରେ ମାର୍କେଟର ପ୍ରାକ୍ତନ ସଭାପତି ଅଦ୍ବୈତ ପ୍ରସାଦ ବିଶ୍ୱାଳଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ଭୂୟାଁ ସଭାପତି ଅଭିଭାଷଣ ଓ ସଂପାଦକ ଶ୍ରୀ ଜେନା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ନନ୍ଦ ଫକୀର ମୋହନଙ୍କ ସଂପର୍କିତ କବିତା ପାଠ କରିଥିଲେ । ଏହି ଅବସରରେ ହୃଷିକେଶ ବଳିଆରସିଂହ, ଆରଡିଏ ଅଧିକାରୀ ଇପ୍ସିତା ବିଶ୍ବାଳ, ଦେବେନ୍ଦ୍ର ପରିଛା, ବିଭୁତି ଭୂଷଣ ଦାସ, ଉତ୍ତମ ବାରିକ, ଭଗବାନ ମହାପାତ୍ରଙ୍କୁ କମିଟି ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସବୀର ହୁସେନ, ରଞ୍ଜନ ମହାପାତ୍ର, ଇସ୍ତେକାର, ପରମଜିତ ସିଂ, ପିକେ ଦାସ, ବିରେନ୍ଦ୍ର ଶର୍ମା, ବୀରୁ ସେଠୀ, ବିକ୍ରମ ସାମଲ, ଅତୁଲ୍ୟ ବାରିକ, ପ୍ରଣବ ନାୟକ, ଜାବିର ହୁସେନ, ନସୀମ ଖାନ, ସୁଶାନ୍ତ ବିଶ୍ବାଳ, କୈଳାଶ ବିଶ୍ବାଳ, ସୁଶ୍ରୀ ନିକିତା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।