- ଆଧ୍ୟାତ୍ମିକତା ହିଁ ଭ୍ରମିତ ମନକୁ ଶାନ୍ତ କରେ
ବଲାଙ୍ଗିର, (କେପିଏନ୍ଏସ୍) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୬ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ସାମ୍ପ୍ରତିକ ସମାଜ, ମାନସିକ ସ୍ଥିତି ଓ ଆଧ୍ୟାତ୍ମିକତା ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥି ଆଲୋଚକ ଭାବେ ବିଶ୍ୱାତ୍ମ ଚେତନା ପରିଷଦର ପ୍ରତିଷ୍ଠାତା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଓ ଶ୍ରୀ ତପୋବନ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ଯୋଗଦାନ କରିଥିଲେ । ସଭାରେ ସ୍ୱର୍ଗତ ପାଣ୍ଡିଆଙ୍କ ଦୁଇପୁତ୍ର ଶିକ୍ଷାବିତ୍ ସୁଶୀଳ କୁମାର ପାଣ୍ଡିଆ ଓ ପ୍ରଫେସର ରବିଶଙ୍କର ପାଣ୍ଡିଆ ମଞ୍ଚାସୀନ ହୋଇଥିଲେ । ଆଲୋଚକ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ କହିଥିଲେ ଯେ, ସାମ୍ପ୍ରତିକ ସମାଜ ଏକ ଭ୍ରମିତ ସମାଜ ଅଟେ । ଅର୍ଥ, କାମ ଓ ଅଧିକାର ପଛରେ ସମସ୍ତେ ଦୌଡୁଛନ୍ତି । ଦୁଇଟି ଅହଙ୍କାରୀ ବ୍ୟକ୍ତିଙ୍କ ଅହଙ୍କାରକୁ ନେଇ ଆଜି ଯୁଦ୍ଧ ସୃଷ୍ଟି ହେଉଛି ଓ ସାଧାରଣ ଜନତା ଏହାର କୁପରିଣତି ଭୋଗ କରୁଛନ୍ତି । ଏହା ହେଉଛି ଭ୍ରମିତ ମନର ପରିଚାୟକ । ଏଭଳି ଭ୍ରମରୁ ମୁକୁଳିବାର ଏକମାତ୍ର ରାସ୍ତା ହେଉଛି ଆଧ୍ୟାତ୍ମିକତା ବୋଲି କହିଥିଲେ । ଅନ୍ୟତମ ଆଲୋଚକ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ କହିଥିଲେ ଯେ, ଏକ ସନ୍ତୁଳିତ ସମାଜ ନିର୍ମାଣ ପାଇଁ ଶିକ୍ଷା ସଂସ୍କାର, ସାମାଜିକ ସଚେତନତା, ସାଂସ୍କୃତିକ ବିକାଶ, ବିଜ୍ଞାନର ଉନ୍ନତି ଆବଶ୍ୟକ । ଏସବୁ ଆବଶ୍ୟକତା ଭିତରେ ମଣିଷ ନିଜକୁ ଚିହ୍ନିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମନ ଓ ଆତ୍ମାର ଶୁଦ୍ଧତା ପାଇଁ ଯୋଗ ପ୍ରକ୍ରିୟା ସବୁଠୁ ଶ୍ରେୟସ୍କର ବୋଲି କହିଥିଲେ । ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ସ୍ୱର୍ଗତ ପାଣ୍ଡିଆଙ୍କ ସାଲିସବିହୀନ ଜୀବନ ଓ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସଭାକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ସଭା ଆୟୋଜକ ସ୍ମୃତି କମିଟି ସଦସ୍ୟ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।