ଗଞ୍ଜାମ ଜିଲ୍ଲାସ୍ତରୀୟ ଗୀତିକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

  • ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ ହୋଇପାରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରୟଣ ବେହେରାଙ୍କ ପରିଚାଳନା ଓ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଲୀନା କୁମାରୀ ଖେସ୍ ଅଧ୍ୟକ୍ଷତା କରିଥିଲେ । ବିଶ୍ଵ ପ୍ରସିଦ୍ଧ ମହାକବି ଜୟଦେବଙ୍କ ଦ୍ୱାରା ରଚିତ ଗୀତଗୋବିନ୍ଦ ଏକ କାଳଜୟୀ ସୃଷ୍ଟି କରିଛି । ଦ୍ଵାଦଶ ଅଧ୍ୟାୟ ଓ ୭୨ ଶ୍ଳୋକ ସମ୍ଭାରରେ ସଜ୍ଜିତ ଏହି ଛନ୍ଦମୟ କାବ୍ୟ ଗୋବିନ୍ଦର ଗୀତ- ଗୀତଗୋବିନ୍ଦ ଶ୍ରୀ ଜୟଦେବଙ୍କ ଲେଖନୀରୁ ନିଶୃତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ସାରା ଜନମାନସରେ ସୁମଧୁର ସଙ୍ଗୀତର ଝଙ୍କାର ତୋଳିଛି । ସରଳ କୋମଳ କମନୀୟ ପଦ ଲାଳିତ୍ୟରେ ପରିପୂର୍ଣ୍ଣ ଗୀତଗୋବିନ୍ଦର ପ୍ରତିଟି ପଂକ୍ତି ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି, ଧର୍ମ ଓ ଜନଜୀବନର ପରିଚିତ ବହନ କରେ ବୋଲି ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ମତ ରଖିଥିଲେ । ଏହି ବର୍ଣ୍ଣାଢ଼୍ୟ ସମାରୋହ ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୁକୁଡ଼ାଖଣ୍ଡି ତହସିଲଦାର ତଥା ସୁସାହିତ୍ୟିକା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ତଥା ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ଚିନ୍ମୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ ସହିତ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଗାୟତ୍ରୀ କଳା ବିକାଶ କେନ୍ଦ୍ର, ବ୍ରହ୍ମପୁର, ଜୟ ଗଣେଶ କଳା ବିକାଶ କେନ୍ଦ୍ର, ସାଇ ନୃତ୍ୟ ଏକାଡେମୀ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.