ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜୟନ୍ତୀ ବହୁ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ଯୁବକ ସଂଘ ତରଫରୁ ଜୟନ୍ତୀ ପାଳନ ପାଇଁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ସିନ୍ଧେକେଲା, କୁରସୁଡ, ଚାନ୍ଦୋତରା, ଗନ୍ଧର୍ଲା, ଝଲପ, ଅଲଣ୍ଡା, ଭତାସର, କଁସିଲ ତଥା ଆଖପାଖ ଅଞ୍ଚଳର ଶହ ଶହ ବ୍ରାହ୍ମଣମାନେ ଯୋଗଦେଇ ରାଲିରେ ସାମିଲ ହୋଇଥିଲେ । ଶ୍ରୀ ଶ୍ରୀ ପାତାଲେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପୂଜାପାଠ ସମ୍ପନ୍ନ ହେବା ପରେ ସମସ୍ତ ବ୍ରାହ୍ମଣ ପରିବାର ଏକ ବିରାଟ ପଟୁଆରରେ ସିନ୍ଧେକେଲା ଗ୍ରାମ ପରିକ୍ରମା କରିଥିଲେ । ଟ୍ରାଫିକ ଓ ରାଲିକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସିନ୍ଧେକେଲା ପୋଲିସ ଓ ଯୁବକମାନେ ସହଯୋଗ କରିଥିଲେ । ରାଲିରେ ପର୍ଶୁରାମ ବେଶରେ ବାହାରିଥିବା ଯୁବକ ଓ ଛୋଟ ଶିଶୁମାନେ ଚମତ୍କାର ଅଭିନୟ କରିଥିଲେ । ଡିଜେ, ଘଣ୍ଟ ବାଦ୍ୟର ତାଳେ ତାଳେ ପୁରା ସିନ୍ଧେକେଲା ଭଗବାନ ଶ୍ରୀ ପର୍ଶୁରାମମୟ ହୋଇଯାଇଥିଲା । ରାଲି ଗ୍ରାମ ପରିକ୍ରମା କରି ପୁଣି ପାତାଲେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ବିଜ୍ଞ ଓ ବୟୋଜ୍ୟେଷ୍ଠମାନେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଅବତାର ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।