ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ‘ଫକୀର ମୋହନ ସେନାପତିଙ୍କ କବିତାରେ ଆତ୍ମ ଅନ୍ୱେଷଣ’ ଓ ‘ଫକୀର ମୋହନ ସେନାପତିଙ୍କ ଗଳ୍ପରେ ସାମାଜିକ ବାସ୍ତବତା’ ଶୀର୍ଷକ ସମ୍ବଳିତ ଦୁଇଟି ବିଷୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଡ. କୌତୁକ ପନ୍ଦରଙ୍କ ଦ୍ଵାରା ପରିଚାଳିତ ଏହି ସାରସ୍ୱତ ଆଲୋଚନାରେ ଆଲୋଚକ ଭାବେ ଡ. ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପକ, ଓଡ଼ିଆ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିର, ଓ ଅନ୍ୟତମ ଆଲୋଚିକା ଡ. ସୁଷମା ମୋଦୀ, ସହକାରୀ ପ୍ରାଧ୍ୟାପକ, ଓଡ଼ିଆ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ଯୋଗଦେଇ ସେନାପତିଙ୍କ ବିଭିନ୍ନ ସାରସ୍ଵତ କୃତିକୁ ନେଇ ସାରଗର୍ଭକ ଓ ତଥ୍ୟପୂର୍ଣ୍ଣ ଆଲୋଚନା ଉପସ୍ଥାପନା କରିଥିଲେ । ଛାତ୍ରଛାତ୍ରୀମାନେ କିଭଳି ମୂଳ ବହି ପ୍ରତି ଆଗ୍ରହୀ ହୋଇ ଏକ ସୃଜନ ମନସ୍କ ବ୍ୟକ୍ତି ଭାବେ ନିଜକୁ ଉଭାଗର କରିପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ପ୍ରଫେସର ଘନଶ୍ୟାମ ବେହେରା, ଶିକ୍ଷା, ଉପସ୍ଥିତ ରହି ଗାଳ୍ପିକଙ୍କ ‘ରେବତୀ’ ଗଳ୍ପର ପ୍ରାସଙ୍ଗିକତା ଆଜି କେତେ ଅଛି ସମୀକ୍ଷା କରିବା ଉଚିତ୍ ବୋଲି ସୂଚନା ଦେଇଥିଲେ । ଆଲୋଚନାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ହୃଷିକେଶ ଦାସ, ସାମଗ୍ରିକ ଆଲୋଚନାକୁ କିଞ୍ଚିତ୍ ସମୀକ୍ଷା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.