ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହାତ୍ମା ଗାନ୍ଧୀଙ୍କ ୧୫୩ତମ ପବିତ୍ର ଜନ୍ମ ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ମାସର ଦୁଇ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଦିବସ ବିଷୟରେ କିଛି ଜାଣିବା ।

ଜାତିର ପିତା ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ଅଟେ । ତାଙ୍କ ବାପାଙ୍କ ନାମ କରମଚାନ୍ଦ ଗାନ୍ଧୀ, ମା’ଙ୍କ ନାମ ପୁତୁଲିବାଇ ଓ ସ୍ତ୍ରୀଙ୍କ ନାମ କସ୍ତୁରବା ଗାନ୍ଧୀ ଅଟେ । ସେ ସର୍ବଦା ସମସ୍ତଙ୍କୁ ଅହିଂସା ପଥରେ ଚାଲିବାକୁ ପରାମର୍ଶ ଦେଉଥିଲେ । ତାଙ୍କୁ ସମସ୍ତେ ଜାତିର ପିତା/ ଜାତିର ଜନକ ବୋଲି ସମ୍ବୋଧିତ କରୁଥିଲେ । ଭାରତର ସ୍ୱାଧୀନତା ଦିଗରେ ମହାତ୍ମା ଗାନ୍ଧୀଙ୍କ ଅତୁଳନୀୟ ଅବଦାନ ରହିଛି । ଯେତେବେଳେ ଆମ ଭାରତରେ ବ୍ରିଟିଶମାନେ ଶାସନ କରୁଥିଲେ ଓ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ ସେତେବେଳେ ମହାତ୍ମା ଗାନ୍ଧୀ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ମିଶି ଭାରତକୁ ବ୍ରିଟିଶ ମୁକ୍ତ କରିବା ପାଇଁ ଅନେକ ଗୁଡିଏ ଆନ୍ଦୋଳନ କରିଥିଲେ । ଗାନ୍ଧିଜୀଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନ ଗୁଡିକ ମଧ୍ୟରେ ଚମ୍ପାରନ ଆନ୍ଦୋଳନ, ଖେଡା ଆନ୍ଦୋଳନ, ଖିଲାଫତ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ ଆନ୍ଦୋଳନ ମୁଖ୍ୟ ଅଟେ । ମହାତ୍ମା ଗାନ୍ଧୀ ଭାରତକୁ ସ୍ୱାଧୀନ କରିବା ଦିଗରେ ଅନେକ ଆନ୍ଦୋଳନ କରିଥିଲେ, କିନ୍ତୁ ଉପରୋକ୍ତ ଆନ୍ଦୋଳନ ଦ୍ୱାରା ଇଂରେଜମାନେ ଅଧିକ ପ୍ରଭାବିତ ହୋଇଥିଲେ ଓ ଶେଷରେ ମହାତ୍ମା ଗାନ୍ଧୀ ଓ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଶତଚେଷ୍ଟା ପରେ ଆମ ଭାରତରୁ ସେମାନେ ତେର ନଈ ସାତ ଦରିଆ ଡେଇଁ ପଳାୟନ କରିଥିଲେ । ମହାତ୍ମା ଗାନ୍ଧୀ ଇଂଲଣ୍ଡଠାରେ ଓକିଲାତି ବିଦ୍ୟା ଶିକ୍ଷା କରି ୧୮୯୦ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଭାରତକୁ ସ୍ୱାଧୀନ କରିବା ଦିଗରେ ନିଜ ଜୀବନକୁ ସର୍ମପିତ କରିଥିଲେ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଥିବା ବେଳେ ନାଥୁରାମ ଗଡସେ ନାମକ ଜଣେ ଦେଶଦ୍ରୋହୀ ଗାନ୍ଧୀଙ୍କ ଉପରେ ଗୁଳି ଚଳାଇଥିଲା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିବା ତଥା ତାଙ୍କ ବଳିଦାନକୁ ମନେପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସମସ୍ତ ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଏ ।

Leave A Reply

Your email address will not be published.

error: Content is protected !!