jayashree

ହମ ନିଶାଦ ତରଫରୁ “ଶାମ ଏ ରଫି୨୦୨୨” ରୌପ୍ୟ ଜୟନ୍ତୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମ ନିଶାଦ ତରଫରୁ ଶାମ ଏ ରଫି ୨୦୨୨ର ରୌପ୍ୟ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଓ ଇଡିପିକେ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଫି ସାହେବଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଂଗୀତଜ୍ଞ ନିର୍ମଳା ମିଶ୍ରଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ହମ ନିଶାଦର ନିର୍ଦ୍ଦେଶକ ଡଃ ସଂଚିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ପ୍ରତିଷ୍ଠାତା ବରିଷ୍ଠ ସଭ୍ୟ ଏମଡି କାଶିମଙ୍କ ସଂଯୋଜନାରେ ଗୀତ ପରିବେଷଣ କରାଯାଇଥିଲା । ପରେ ଅନୁଷ୍ଠାନର କଳାକାରମାନେ ମହମ୍ମଦ ରଫିଙ୍କ ସଂଗୀତ ଗୁଡିକୁ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଞ୍ଚିରୁ ଆସିଥିବା ବାଦ୍ୟ ଯନ୍ତ୍ର କଳାକାର ମୁଖ୍ୟ ଆକର୍ଷଣ ଥିଲେ । ଡଃ ସଂଚିତା ଓ କାଶିମ ଗୋଟିକ ପରେ ଗୋଟିଏ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଚରିତା ମହାନ୍ତି, ହାପିଜ ରାଜା, ଆତିଶ ସରକାର, ଏମ ଆୟନ, ଆର୍ଯ୍ୟନ ସ୍ୱାଇଁ, ସୁନିଲ୍ କୟାଲ, ଗୋଲଡି ଅରୋରା, ଶଙ୍କର ବାସୁଦେବନ ପ୍ରମୁଖ ବିଭିନ୍ନ ଗୀତରେ କଣ୍ଠଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣ ଜୀବନରେ ମାନସିକ ଅବସାଦକୁ ଦୂର କରିବା ପାଇଁ ସଂଗୀତର ଆବଶ୍ୟକତା ଉପରେ ଅତିଥି ଗୁରୁତ୍ୱାରୋପ କରିଥିବା ବେଳେ ହମ ନିଶାଦ ଦୀର୍ଘ ୨୫ ବର୍ଷ ଧରି ଏହି କାର୍ଯ୍ୟକ୍ରମ କରୁଥିବାରୁ ସାଧୁବାଦ ଦେଇଥିଲେ । ଶେଷରେ କାଶିମ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.