ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ସୋମବାର ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳ ୫ଟାରେ ମାତୃ ନିକେତନର ଅନ୍ତେବାସୀମାନେ ଜର୍ଜଗଡ ଗ୍ରାମ ପର୍ଯ୍ୟନ୍ତ ଯାଇ ରାମଧୂନ ଗାନ କରିଥିଲେ । ସକାଳ ୧୦ଟାରେ ପାଇକମାଲ ଶିବମନ୍ଦିର ଠାରେ ତିଳତର୍ପଣ କରାଯାଇଥିଲା । ସ୍ମୁତିପୀଠ ପରିସରରେ ସର୍ବଧର୍ମ ପ୍ରାର୍ଥନା ସହ ଦୀପ ଦାନ କରିଥିଲେ । ପାଇକମାଲ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସମସ୍ତ ଅନ୍ତେବାସୀମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧୂପ, ଦୀପ, ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ । ଦିନ ୧୧ଟାରେ ପାଇକମାଲ ନୃସିଂହନାଥ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୬ଟାରେ ଜନ୍ମ ଜୟନ୍ତୀ ଏକ ସଭା ହରିବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅତିଥିମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭା ଆରମ୍ଭରେ ପୂର୍ବତନ ନୂଆପଡା ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମୁଖ୍ୟଅତିଥି ଭାବେ ନୂଆପଡା ବିଧାୟକ ଜୟ ଭାଇ ଢୋଲକିଆ, ମୁଖ୍ୟବକ୍ତା ଭାବେ ଦହିତା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ବରଗଡ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରୟାସ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କା, ସମାଜସେବୀ ରଜନୀକାନ୍ତ ପରିଡା, ଅନୁଷ୍ଠାନର ସଭାନେତ୍ରୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ଯୋଗଦେଇ ପାର୍ବତୀ ଗିରିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଅତିଥିମାନେ ପାର୍ବତୀ ଗିରିଙ୍କ ବିଷୟରେ ମତାମତ ରଖିବା ସହ ତାଙ୍କର ଜୀବନୀ ବିଷୟ ଓ ସମାଜସେବା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ଢୋଲକିଆ ଉପହାର ପ୍ରଦାନ କରିଥିଲେ । ହେଲ୍ପ ୱେଲଫେୟାର ଫାଉଣ୍ତେସନ କଲାପାଣିଛକ ବରଗଡ ତରଫରୁ ସମସ୍ତ ଅନ୍ତେବାସୀ ଓ ଛାତ୍ରଛାତ୍ରୀମାନଙ୍କୁ ଟି-ସାର୍ଟ ଏବଂ ଖାତା କଲମ ସହ ମିଷ୍ଠାନ ବଣ୍ଟନ କରିବା ସହ ଅନୁଷ୍ଠାନକୁ ୫ ହଜାର ୫ଶତ ଟଙ୍କା ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ନିର୍ମଳ ଗିରି ବାର୍ଷକ ବିବରଣୀ ପାଠ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ପାର୍ବତୀ ଗିରି ସେବା ସମ୍ମାନ ଡା. ସୁବାଷ ନାୟକ ସେବା ସମ୍ମାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ମାତୃପ୍ରସାଦ ରଥ ସେବା ସମ୍ମାନ ମାନପତ୍ର ପଠନ କରିଥିଲେ । ଶେଷରେ ସଞ୍ଜିବ ଦାସ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।