jayashree

ସହିଦ ବୀର ବିର୍ସା ମୁଣ୍ଡାଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳିତ

ରାଉରକେଲା/କାଲଟା, (ସସ୍ମିତା ପ୍ରଧାନ) : କାଲଟା ସ୍ଥିତ ସହିଦ ବୀର ବିର୍ସା ମୁଣ୍ଡା କମିଟି ଆନୁକୂଲ୍ୟରେ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀର ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି । କମିଟିର ସଭାପତି ସୁଖରାମ ଲୁଗୁନ ଓ ସାଧାରଣ ସମ୍ପାଦକ ସୋମନାଥ ମୁଣ୍ଡୁ (ସାଗର)ଙ୍କ ଆବାହକତ୍ଵ, ଦୁର୍ଯ୍ୟୋଧନ ବାରିକ ଓ ରାଜୀବ ବାଗେଙ୍କ ମଞ୍ଚ ସଂଯୋଜନାରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାୟକ, ସମ୍ମାନିତ ଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ସଂସ୍କରଣର ପ୍ରମେୟ ମୁଖ୍ୟ ମନୋରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, କାଲଟା ସାଇନ୍ସର ପ୍ରାକ୍ତନ ବରିଷ୍ଠ ପ୍ରବନ୍ଧକ କୈଳାଶ ଚନ୍ଦ୍ର ସାହୁ, କମିଟିର ପ୍ରତିଷ୍ଠାତା ବେଞ୍ଜାମିନ କାଣ୍ଡୁଲନା ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ଶୁଭେନ୍ଦ୍ର ନାଥ ମଲ୍ଲିକ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟାୟ, ଶୋଷଣ, ସ୍ୱେଚ୍ଛାଚାରିତା ବିରୁଦ୍ଧରେ ବିର୍ସା ମୁଣ୍ଡାଙ୍କ ଅବିରତ ଆଜୀବନ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ପୂଜ୍ୟପୂଜାର ପରମ୍ପରା ଓ ହକି ଖେଳର ପ୍ରଚାର ପ୍ରସାର ପାଇଁ ପ୍ରତିଯୋଗିତା ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସ‌ହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ତଥା ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସରପଞ୍ଚ ପାନମତୀ ଦେହୁରୀ, ଜିଲ୍ଲାପରିଷଦ ସଭ୍ୟା ସୁଶିଲା ମୁଣ୍ଡା, ପ୍ରାକ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରବିନାରାୟଣ ନାଏକ, ଶିଳ୍ପୀ କୁମର ମନ୍ତ୍ରୀ, ରୋହିଦାସ କଚ୍ଛପ, ସୌରଭ କଚ୍ଛପ, ବିଜୟ କୁମାର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଅତିଥି ସହିଦ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ୩ ଦିନ ଧରି ଚାଲିଥିବା ହକି ପ୍ରତିଯୋଗିତାରେ ଫାଇନାଲ ମ୍ୟାଚ୍‌ କେବିଏସ୍‌ ଆମ୍ବାଗାନ କାଲଟା ଓ ମର୍ଣ୍ଣିଂ ଷ୍ଟାର ବାଜନୀଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବିଏସ୍‌ ଆମ୍ବାଗାନ ଦଳ ମର୍ଣ୍ଣିଂ ଷ୍ଟାର ଦଳକୁ ୩-୧ରେ ପରାସ୍ତ କରି ଅତିଥିଙ୍କ ଠାରୁ ନଗଦ ୩୦ ହଜାର ଅର୍ଥରାଶି ସହ ଚମ୍ପିୟାନ ଟ୍ରଫି ଓ ଉପବିଜେତା ମର୍ଣ୍ଣିଂ ଷ୍ଟାର ଦଳ ନଗଦ ୨୦ହଜାର ଓ ରନର୍ସ ଟ୍ରଫି ହାସଲ କରିଥିଲେ । ସେହିପରି ସେମିଫାଇନାଲକୁ ଯାଇଥିବା ଦୁଇ ଦଳକୁ ନଗଦ ୫ ହଜାର ଲେଖାଏଁ ଓ ଫାଇନାଲ ଖେଳିଥିବା ଦୁଇଦଳର ଖେଳାଳୀଙ୍କୁ ଜର୍ସି ପ୍ରଦାନ କରାଯାଇଥିଲା । ପରେ ସମୀର ହେମ୍ବ୍ରମ ଓ ଗ୍ର୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ସାଗର ମୁଣ୍ଡୁ ଅନୁଷ୍ଠାନର ଆଭିମୁଖ୍ୟ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ କାର୍ଯ୍ୟକ୍ରମ ଶେଷରେ ସଭାପତି ସୁଖରାମ ଲୁଗୁନ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ୩ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ବ୍ୟକ୍ତି ତଥା କାଲଟା ମାଇନ୍ସ ଓ ଆଖପାଖର ଅଧିକାରୀମାନେ, ଅତିଥି ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ସହ ଦୀର୍ଘ ୫୦ବର୍ଷ ଧରି ଜଡିତ ଥିବା ଶତାଧିକ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସହ ଟେନସା, ବରସୁଆଁ, କୋଇଡା ଅଞ୍ଚଳର ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.