ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ ରାଜ୍ୟ ରାଜଧାନୀର ସମସ୍ତ ରାସ୍ତାରେ ବହୁ ସଂଖ୍ୟକ ଅଟୋ ଚଳାଚଳ କରୁଛି । ଯେକୌଣସି ଦୁର୍ଘଟଣା ସ୍ଥଳରେ ଅଟୋ ଚାଳକ ହିଁ ପ୍ରଥମେ ପହଞ୍ଚୁ ଥିବାର ଦେଖାଯାଏ । ଏଣୁ ଜୟ ଓଡ଼ିଶା-ଶକ୍ତି ଫାଉଣ୍ଡେସନ ଓ ଶିଫା ହସ୍ପିଟାଲ ମିଶି କଳିଙ୍ଗ ଅନ୍-ଲାଇନ ଅଟୋ ସେବା ଟ୍ରଷ୍ଟ ଓ ମା’ ବରଦେଇ ଅଟୋ ଆସୋସିଏସନ୍ର ପାଖାପାଖି ୯୦ଟି ଅଟୋରେ ଗୋଟିଏ ଲେଖାଏଁ ଫାଷ୍ଟଏଡ୍ ବକ୍ସ ଲଗାଇବା ବ୍ୟବସ୍ଥାପନାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଅବା ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବକ ଡଃ. ସମିମ୍ ସଲିମ୍ ଓ ତାଙ୍କ ଟିମ୍, ଚାଳକମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ଦେଇଥିଲେ । ବକ୍ସରେ ସ୍ପିରିଟ, ବେଟାଡିନ, ତୁଳା, ବ୍ୟାଣ୍ଡଏଡ ଓ ଗଜ୍ କପଡା ରହିଛି ଓ ଆବଶ୍ୟକ କ୍ରମେ ବିଭିନ୍ନ ସମୟରେ, ଜୟ ଓଡ଼ିଶାର ସଦସ୍ୟମାନେ ଔଷଧ ସାମଗ୍ରୀର ପୁନଃଭରଣ କରିବେ । ଏହି କାର୍ଯ୍ୟକ୍ରମଟି, ନୀଳକଣ୍ଠ କଲେଜ ଲାଇବ୍ରେରୀ ଆଣ୍ଡ ଇନ୍ଫରମେସନ୍ ସାଇନ୍ସଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପୂର୍ବକ ପତାକା ଦେଖାଇ ଅଟୋ-ଚାଳକ ଭାଇମାନଙ୍କୁ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରୋତ୍ସାହନା ଦେଇଥିଲେ । ସମାଜସେବୀ ଉମାନାଥ ମିଶ୍ର, ପ୍ରସନ୍ନ ସାହୁ, ନରେ୍ନ ସାହୁ, ସମୀର ପ୍ରଧାନ, ସଞ୍ଜୟ ସେଠୀ, ଚିତ୍ତରଞ୍ଜନ ଦାସ, ରାଜେଶ ଧଳସାମନ୍ତରାୟ ଓ ବିକାଶ ପରିଡ଼ା ତଥା ଅନ୍ୟାନ୍ୟ ଅତିଥିଙ୍କ ସହାୟତା ଓ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ସୂଚାରୁରୂପେ ସମ୍ପାଦନା ହୋଇଥିଲା । ସମାଜସେବାକୁ ଏକମାତ୍ର ଲକ୍ଷ୍ୟରୁପେ ଗ୍ରହଣ କରି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, ‘ଦୁର୍ଘଟଣା ପରବର୍ତ୍ତୀ ଗୋଲ୍ଡେନ୍ ଆୱାର ମଧ୍ୟରେ ଆକ୍ରାନ୍ତଙ୍କୁ କିଛି ଚିକିତ୍ସା ମିଳିପାରିଲେ ଅନେକ ଜୀବନ ରକ୍ଷା ହୋଇପାରିବ । ତେଣୁ ଅଟୋଗୁଡ଼ିକରେ ଫାଷ୍ଟଏଡ୍ ବକ୍ସଟିଏ ରହିଲେ ତାହା ଅନେକ ଜୀବନ ବଞ୍ଚାଇପାରିବ । ଏହି ଫାଷ୍ଟଏଡ଼ ବକ୍ସଟି ବିଭିନ୍ନ ସମୟରେ ଆମ ସଦସ୍ୟଙ୍କ ଦ୍ଵାରା ପୁନଃଭରଣ କରାଯିବ ଓ ଆଗାମୀ ଦିନରେ ଜୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଅନ୍ୟ ସମସ୍ତ ଅଟୋ ଆସୋସିଏସନ୍ ଓ ହସ୍ପିଟାଲମାନଙ୍କ ସହ ମିଶି ଭୁବନେଶ୍ଵରର ପ୍ରାୟ ୧୦୦୦ ଅଟୋରେ ଫାଷ୍ଟଏଡ ବକ୍ସ ଲଗାଇବାର ଲକ୍ଷ୍ୟ ରଖିଛୁ ।’
Prev Post